ଭୁବନେଶ୍ୱର: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ମିଳିବ ବିଶ୍ୱ ମାନ୍ୟତା । ରଥଯାତ୍ରାକୁ ୟୁନେସ୍କୋର ଅତୁଲ୍ୟ ସାଂସ୍କୃତିକ ଐତିହ୍ୟ ତାଲିକାରେ ସାମିଲ କରିବାକୁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ନେଇ କେନ୍ଦ୍ର ସାଂସ୍କୃତିକ ଓ ପର୍ଯ୍ୟଟନ ବିକାଶ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କୁ ଚିଠି ଲେଖିଛନ୍ତି ।
ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପୁରୀ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ୟୁନେସ୍କୋ ଅତୁଲ୍ୟ ସାଂସ୍କୃତିକ ଐତିହ୍ୟ ତାଲିକାରେ ସ୍ଥାନ ଦେବାକୁ ପ୍ରସ୍ତାବ ଦେଇଛି । ଏହାକୁ ମୁଖ୍ୟମନ୍ତ୍ରୀ ମାଝୀ ଚିଠି ଜରିଆରେ କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ରଥଯାତ୍ରା କେବଳ ଏକ ଧାର୍ମିକ ପର୍ବ ନୁହେଁ ବରଂ ଭାରତର ସମୃଦ୍ଧ ସାଂସ୍କୃତିକ ବିବିଧତା, ଅନ୍ତର୍ଭୁକ୍ତି, ଆଧ୍ୟାତ୍ମିକତା, କାରିଗରୀ, ସଙ୍ଗୀତ, ନୃତ୍ୟ ଓ ସାମୁଦାୟିକ ଅଂଶ ଗ୍ରହଣକୁ ପ୍ରତିପାଦିତ କରେ । ଶହ ଶହ ବର୍ଷ ଧରି ପାଳିତ ହେଉଥିବା, ଏହା ବିଶ୍ୱର ବିଭିନ୍ନ ସ୍ଥାନରୁ ଲକ୍ଷ ଲକ୍ଷ ଭକ୍ତ ଏବଂ ପର୍ଯ୍ୟଟକଙ୍କୁ ଆକର୍ଷିତ କରେ । ରଥଯାତ୍ରା ଭାରତର ଜୀବନ୍ତ ଐତିହ୍ୟର ସବୁଠାରୁ ସ୍ଥାୟୀ ପ୍ରତୀକ ଭାବରେ ବିଦ୍ୟମାନ । ୟୁନେସ୍କୋର ତାଲିକାରେ ଏହାର ନାମ ସ୍ଥାନ ପାଇବା ଦ୍ୱାରା ଭାରତର ସମୃଦ୍ଧ ସାଂସ୍କୃତିକ ପରମ୍ପରାର ବିଶ୍ୱସ୍ତରୀୟ ସ୍ୱୀକୃତିକୁ ଆହୁରି ମଜବୁତ କରିବ ଏବଂ ଭବିଷ୍ୟତ ପିଢ଼ି ପାଇଁ ଏହାର ସଂରକ୍ଷଣ ଏବଂ ପ୍ରୋତ୍ସାହନରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ।
ଏଥିପାଇଁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଦ୍ୱାରା ସମସ୍ତ ପ୍ରକାର ଦସ୍ତାବିଜ ପୂର୍ବରୁ ଦାଖଲ କରାଯାଇଛି। ଏହି ପ୍ରକ୍ରିୟାକୁ ଆହୁରି ଗତିଶୀଳ କରିବାକୁ ସହଯୋଗର ହାତ ବଢ଼ାଇବାକୁ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।