ଭୁବନେଶ୍ୱରର ପାତ୍ରପଡ଼ା ଅଞ୍ଚଳରେ ସୋମବାର ସକାଳେ ଏକ କପା କାରଖାନା ଓ କପଡ଼ା ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ତମାଣ୍ଡୋ ଥାନା ଅଧୀନ ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ଗୋଦାମରୁ କଳା ଧୂଆଁ ଆକାଶକୁ ଉଠୁଥିବା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।
ସକାଳ ପ୍ରାୟ ୯ଟା ବେଳେ ନିଆଁ ଲାଗିଥିବା ଜଣାପଡ଼ିଥିଲା। ଖବର ପାଇ ତମାଣ୍ଡୋ, ଜଟଣୀ ସମେତ ବିଭିନ୍ନ ଅଗ୍ନିଶମ କେନ୍ଦ୍ରରୁ ୧୦ରୁ ଅଧିକ ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାମ ଆରମ୍ଭ କରିଥିଲେ।
ଗୋଦାମରେ ବହୁ ପରିମାଣରେ କପା ମହଜୁଦ ଥିବାରୁ ନିଆଁ ଖୁବ ଦ୍ରୁତ ଗତିରେ ବ୍ୟାପିଯାଇଥିଲା। ଏଥିପାଇଁ ଅଗ୍ନିଶମ କର୍ମଚାରୀମାନଙ୍କୁ ନିଆଁକୁ ଆୟତ୍ତ କରିବାରେ ବହୁ କଷ୍ଟ ସହିବାକୁ ପଡ଼ିଥିଲା। ଘଣ୍ଟା ଘଣ୍ଟା ଧରି ଅପରେସନ୍ ଚାଲିଥିବା ବେଳେ ଖବର ଲେଖାହେବା ସୁଦ୍ଧା ନିଆଁକୁ ସମ୍ପୂର୍ଣ୍ଣ ଭାବେ ଆୟତ୍ତ କରାଯାଇନଥିଲା।
ପ୍ରାଥମିକ ସୂଚନା ଅନୁସାରେ, ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ ହୋଇଥିବା ଆକଳନ କରାଯାଉଛି। ତେବେ ନିଆଁ ଲାଗିବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।
ସୌଭାଗ୍ୟବଶତଃ ଏହି ଅଗ୍ନିକାଣ୍ଡରେ କୌଣସି ଜୀବନହାନି ଘଟିନାହିଁ। ପୋଲିସ ଓ ଅଗ୍ନିଶମ ବିଭାଗ ମିଳିତ ଭାବେ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ନିଆଁ ସମ୍ପୂର୍ଣ୍ଣ ଲିଭିବା ପରେ କ୍ଷୟକ୍ଷତିର ସଠିକ୍ ଆକଳନ କରାଯିବ ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି।