କଳାହାଣ୍ଡି: ଥୁଆମୂଳରାମପୁର ବ୍ଲକ ପେର୍ଗୁନିପଡ଼ା ଗାଁରୁ ସାମ୍ନାକୁ ଆସିଛି ଜନନୀ ଯନ୍ତ୍ରଣାର ଆଉ ଏକ କରୁଣ ଚିତ୍ର । ପ୍ରସବ ବେଦନାରେ ଛଟପଟ ହେଉଥିବା ଜଣେ ଗର୍ଭବତୀ ଖଟିଆରେ ବୁହା ହୋଇଛନ୍ତି । ଆମ୍ବୁଲାନ୍ସ ଗାଁକୁ ପହଞ୍ଚିପାରିନଥିବାରୁ ପରିବାର ଲୋକେ ପ୍ରାୟ ଏକ କିଲୋମିଟର ଖଟିଆରେ ବୋହି ନେଇଥିଲେ।
ପେର୍ଗୁନିପଡ଼ା ଗାଁର ଅମିତା ମାଝୀ ପ୍ରସବ ବେଦନାରେ ଛଟପଟ ହେଉଥିଲେ । ପରିବାର ଲୋକେ ପ୍ରଥମେ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ହେଲେ ସେବା ନମିଳିବାରୁ ଉତ୍କଳ ଆଲୁମିନା କମ୍ପାନୀର ସିଏସ୍ଆର୍ ଆମ୍ବୁଲାନ୍ସକୁ ଡକାଯାଇଥିଲା। କିନ୍ତୁ ଶୋଚନୀୟ ଘାଟି ରାସ୍ତା ଏବଂ ରାସ୍ତା ଉପରେ ପଡ଼ିଥିବା ଗୋଡ଼ି ଓ ମେଟାଲ ଯୋଗୁଁ ଆମ୍ବୁଲାନ୍ସ ଗାଁରେ ପହଞ୍ଚିପାରିନଥିଲା। ଶେଷରେ ପରିବାର ଲୋକେ ଗର୍ଭବତୀଙ୍କୁ ପ୍ରାୟ ଏକ କିଲୋମିଟର ଖଟିଆରେ ବୋହି ହରିଜନପଡ଼ା ପର୍ଯ୍ୟନ୍ତ ଆଣିଥିଲେ। ସେଠାରୁ ଆମ୍ବୁଲାନ୍ସ ଯୋଗେ ଥୁଆମୂଳରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା।
ବଫଲାମାଳି ଖଣି ଅଞ୍ଚଳରେ ବ୍ୟାପକ ଖଣିଜ ସମ୍ପଦ ଥିଲେ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ଭଲ ରାସ୍ତାର ସୁବିଧା ନାହିଁ । ଡିଏମ୍ଏଫ୍ ଅର୍ଥରେ ରାସ୍ତା କାମ ଚାଲିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ଫଳରେ ବଡ଼ ଯାନବାହନ ଚଳାଚଳରେ ସମସ୍ୟା ଉପୁଜୁଛି।
କିଛିଦିନ ତଳେ ଘୁଟିଗୁଡ଼ାରେ ମଧ୍ୟ ରାସ୍ତା ସମସ୍ୟା ପାଇଁ ଜଣେ ମହିଳା ଘରେ ପ୍ରସବ କରିଥିଲେ। ପୁଣି ଏଭଳି ଘଟଣା ସାମ୍ନାକୁ ଆସିବା ପରେ ସ୍ୱାସ୍ଥ୍ୟସେବା ଓ ପ୍ରଶାସନିକ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି। ତୁରନ୍ତ ପକ୍କା ଓ ସୁଗମ ରାସ୍ତା ନିର୍ମାଣ ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।