ଭୁବନେଶ୍ୱର: ରାଜ୍ୟର ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ବିଦ୍ୟୁତ୍ ଯୋଗାଣ ସ୍ଥିତି କ୍ରମଶଃ ସୁଧୁରିବାରେ ଲାଗିଛି। ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓଙ୍କ ପ୍ରତ୍ୟକ୍ଷ ନିର୍ଦ୍ଦେଶ ଓ ଅନୁଧ୍ୟାନ କ୍ରମେ ଆଜି ଶକ୍ତି ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ବିଶାଳ ଦେବଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ରାଜ୍ୟର ସମସ୍ତ ଡିସକମ୍ (Discoms) ର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।
ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ଅଞ୍ଚଳଗୁଡ଼ିକରେ ଜନସାଧାରଣଙ୍କ ସୁରକ୍ଷାକୁ ସର୍ବାଗ୍ରେ ଗୁରୁତ୍ୱ ଦିଆଯିବା ସହ ତ୍ୱରିତ ଗ୍ରିଡ୍ ପୁନରୁଦ୍ଧାର କାର୍ଯ୍ୟକୁ ରାଜ୍ୟ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି ବୋଲି ଏହି ଅବସରରେ କୁହାଯାଇଛି।
ବୈଠକରେ ବିଭିନ୍ନ ଡିସକମ୍ ପକ୍ଷରୁ କରାଯାଇଥିବା ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ରିପୋର୍ଟ ପ୍ରଦାନ କରାଯାଇଥିଲା। ବନ୍ୟା ଜଳ ହ୍ରାସ ପାଇବା ସହିତ ରାଜ୍ୟର ପ୍ରଭାବିତ ଉପଭୋକ୍ତାମାନଙ୍କ ମଧ୍ୟରୁ ଏଯାବତ୍ ୯୩% ଙ୍କୁ ବିଦ୍ୟୁତ୍ ଯୋଗାଣ ସ୍ଵାଭାବିକ କରାଯାଇସାରିଛି ବୋଲି ସୂଚନା ଦିଆଯାଇଛି।
ତେବେ କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଭଳି କିଛି ଜିଲ୍ଲାର ତଳିଆ ଓ ଅତ୍ୟଧିକ ଜଳମଗ୍ନ ପକେଟ୍ଗୁଡ଼ିକରେ ବନ୍ୟାଜଳ ସମ୍ପୂର୍ଣ୍ଣ ନକମିବା ଏବଂ ଯାତାୟାତ ପାଇଁ ସୀମିତ ସୁବିଧା ରହିଥିବାରୁ ସେଠାରେ ପୁନରୁଦ୍ଧାର କାର୍ଯ୍ୟରେ ସାମାନ୍ୟ ବିଳମ୍ବ ଘଟୁଥିବା ବିଭାଗ ପକ୍ଷରୁ କୁହାଯାଇଛି।
ସୌଭାଗ୍ୟବଶତଃ, ଏହି ପ୍ରାକୃତିକ ବିପର୍ଯ୍ୟୟରେ ସାମଗ୍ରିକ ବିଦ୍ୟୁତ୍ ଭିତ୍ତିଭୂମିର କୌଣସି ବଡ଼ ଧରଣର ଗଠନମୂଳକ କ୍ଷତି ହୋଇନାହିଁ। ବିଭିନ୍ନ ସ୍ଥାନରେ ଅଚଳ କିମ୍ବା ପୋଡ଼ିଯାଇଥିବା ଟ୍ରାନ୍ସଫର୍ମରଗୁଡ଼ିକୁ ସ୍ଥାନୀୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଯଥାଶୀଘ୍ର ବଦଳାଯାଉଛି।
ଜନଜୀବନ ସୁରକ୍ଷା ପ୍ରସଙ୍ଗରେ ଉପ-ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡିସକମ୍ଗୁଡ଼ିକୁ ପରାମର୍ଶ ଦେଇଛନ୍ତି। ବିଶେଷ କରି ଜଳମଗ୍ନ ଲାଇନ୍ କିମ୍ବା ବିଦ୍ୟୁତ୍ ସଂସ୍ଥାପନଗୁଡ଼ିକୁ ପୁନଃ ଚାଲୁ (energise) କରିବା ପୂର୍ବରୁ ଆବଶ୍ୟକୀୟ ସୁରକ୍ଷା ଯାଞ୍ଚ କରିବାକୁ କୁହାଯାଇଛି।
ଏହାସହିତ ଦୁର୍ଗମ ଅଞ୍ଚଳଗୁଡ଼ିକରେ କାର୍ଯ୍ୟ କରିବା ସମୟରେ ଜିଲ୍ଲା ପ୍ରଶାସନ ସହ ନିବିଡ଼ ସମନ୍ୱୟ ରକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସାଧାରଣ ଜନତାଙ୍କୁ ବିଦ୍ୟୁତ୍ ବିଭ୍ରାଟର ସ୍ଥିତି ଏବଂ ସେବା ସ୍ଵାଭାବିକ ହେବାକୁଥିବା ଆଶାଯୋଗ୍ୟ ସମୟ ସୀମା ବିଷୟରେ ଗଣମାଧ୍ୟମ ଓ ସୋସିଆଲ୍ ମିଡିଆ ମାଧ୍ୟମରେ ରିଅଲ-ଟାଇମ୍ ଅପଡେଟ୍ ଦେବାକୁ ଡିସକମ୍ଗୁଡ଼ିକୁ ପରାମର୍ଶ ଦିଆଯାଇଛି।