ଭୁବନେଶ୍ୱର: ଯୁବପିଢ଼ିକୁ ସୁସ୍ଥ ରଖିବା ଏବଂ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ତଥା ସ୍ୱପ୍ନ ସାକାର କରିବା ରାଜ୍ୟ ସରକାରଙ୍କ ମୁଖ୍ୟ ପ୍ରାଥମିକତା। ନିଶା ବିରୁଦ୍ଧରେ ରାଜ୍ୟ ସରକାର 'ଶୂନ୍ୟ ସହନଶୀଳତା' (Zero Tolerance) ନୀତି ଗ୍ରହଣ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶବ୍ୟାପୀ 'ନିଶାମୁକ୍ତ ଯୁବକ ଭାରତ' ସଂକଳ୍ପ ଅଭିଯାନ ଆରମ୍ଭ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶାର ଯୁବ ସାଥୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଏହାକୁ ଏକ ସରକାରୀ କାର୍ଯ୍ୟକ୍ରମ ନୁହେଁ, ବରଂ ଏକ ବ୍ୟାପକ 'ଜନ ଆନ୍ଦୋଳନ'ରେ ପରିଣତ କରିବାକୁ ଆହ୍ୱାନ ଦେଇଛନ୍ତି। ଦେଶର ୨୮ ହଜାରରୁ ଅଧିକ ସ୍ଥାନରେ ୨ କୋଟିରୁ ଅଧିକ ଯୁବକଯୁବତୀ ଏହି ଅଭିଯାନରେ ସାମିଲ ହୋଇ ନିଶାମୁକ୍ତ ଭାରତ ଗଠନ ପାଇଁ ସଂକଳ୍ପବଦ୍ଧ ହୋଇଛନ୍ତି।
ରାଜ୍ୟରେ ନିଶା କାରବାରକୁ ଦମନ କରିବା ପାଇଁ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ନିଶା ବେପାରୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ସହିତ ନିଶାଗ୍ରସ୍ତ ବ୍ୟକ୍ତିମାନଙ୍କର ଚିକିତ୍ସା ଏବଂ ଥଇଥାନ ପାଇଁ ମଧ୍ୟ ସରକାର ସମସ୍ତ ଦାୟିତ୍ୱ ଗ୍ରହଣ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।
ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ନିବେଦନ
ଗୋପନୀୟ ସୂଚନା ଦିଅନ୍ତୁ: ଆପଣଙ୍କ ଆଖପାଖରେ ଚାଲିଥିବା ନିଶା କାରବାର କିମ୍ବା ନିଶା ବେପାରୀଙ୍କ ସମ୍ପର୍କରେ ଗୋପନୀୟ ଭାବେ ପୋଲିସକୁ ଅବଗତ କରାନ୍ତୁ। ପୋଲିସ ଆପଣଙ୍କ ପରିଚୟ ସମ୍ପୂର୍ଣ୍ଣ ଗୋପନ ରଖି ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବ। ଏହି ସାମାଜିକ ଆନ୍ଦୋଳନ ଆଗାମୀ ୨ ବର୍ଷ ଯାଏଁ ନିରବଚ୍ଛିନ୍ନ ଭାବେ ଜାରି ରହିବ।
ଜାତୀୟ ସ୍ତରର ଏହି କାର୍ଯ୍ୟକ୍ରମ ପରେ ଏହାକୁ ରାଜ୍ୟ, ଜିଲ୍ଲା ଏବଂ ବ୍ଲକ ସ୍ତରକୁ ବ୍ୟାପକ କରାଯିବ। ଯୁବବର୍ଗଙ୍କୁ ଫିଟ୍ ରଖିବା ପାଇଁ ପ୍ରତି ରବିବାର ଖେଳକୁଦ, ଯୋଗ ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ।