ନୂଆଦିଲ୍ଲୀ: କକ୍ରୋଚ୍ ଜନତା ପାର୍ଟି (CJP)କୁ ମିଳିଥିବା ୧ କୋଟି ଟଙ୍କାର ପାଣ୍ଠିକୁ ନେଇ ବଡ଼ଧରଣର ବିବାଦ ଦେଖାଦେଇଛି। ସୁରଟର ଆରଟିଆଇ କର୍ମୀ ଅମିତ ତିବାରୀ ଦଳର ପ୍ରତିଷ୍ଠାତା ଅଭିଜିତ ଦୀପକେ ଏବଂ ତାଙ୍କ ପରିବାରର ଆର୍ଥିକ ସ୍ଥିତି ନେଇ ପ୍ରଶ୍ନ ଉଠାଇବା ସହ ଏହାର ଉଚ୍ଚସ୍ତରୀୟ ତାପ୍ତଜାଞ୍ଚ ପାଇଁ ଦାବି କରିଛନ୍ତି।
ଆରଟିଆଇ କର୍ମୀ ଅମିତ ତିବାରୀ ଅଭିଜିତ ଦୀପକେଙ୍କ ପରିବାରର ଆୟ ଏବଂ ଖର୍ଚ୍ଚକୁ ନେଇ ଗୁରୁତର ଅଭିଯୋଗ ଆଣିଛନ୍ତି। ଅଭିଜିତଙ୍କ ପିତା ଭଗବାନରାଓ ଦୀପକେ ମହାରାଷ୍ଟ୍ର ଇଣ୍ଡଷ୍ଟ୍ରିଆଲ ଡେଭଲପମେଣ୍ଟ କର୍ପୋରେସନ୍ (MIDC) ରେ ଜୁନିୟର ଇଞ୍ଜିନିୟର ଭାବେ କାର୍ଯ୍ୟରତ ଥିଲେ ଏବଂ ଚାକିରି କାଳରେ ତାଙ୍କର ମାସିକ ଦରମା ପ୍ରାୟ ୬୦,୦୦୦ ରୁ ୬୫,୦୦୦ ଟଙ୍କା ଥିଲା। ଯଦି ଆୟ ଏତେ ସୀମିତ ଥିଲା, ତେବେ ସେମାନେ ନିଜ ସନ୍ତାନମାନଙ୍କୁ ଆମେରିକାରେ ପାଠ ପଢ଼ାଇବା ପାଇଁ ଏତେ ବଡ଼ ପରିମାଣର ଅର୍ଥ କିପରି ଖର୍ଚ୍ଚ କଲେ ବୋଲି ଅମିତ ପ୍ରଶ୍ନ କରିଛନ୍ତି।
ଏହାସହ ରାଜ୍ୟସଭା ସାଂସଦ କପିଲ ସିବଲଙ୍କ ଦ୍ୱାରା CJP କୁ ପ୍ରଦାନ କରାଯାଇଥିବା ୧ କୋଟି ଟଙ୍କାର ପାଣ୍ଠି ଏବଂ ଦଳର ଆଇନଗତ ମାନ୍ୟତାକୁ ନେଇ ମଧ୍ୟ ସେ ସନ୍ଦେହ ପ୍ରକାଶ କରିଛନ୍ତି। ଏହି ପୂରା ପ୍ରସଙ୍ଗରେ ଅମିତ ତିବାରୀ 'ANI' କୁ ଦେଇଥିବା ସୂଚନା ମୁତାବକ, ସେ ଏନେଇ ୩ଟି ଅଲଗା ଅଲଗା ପ୍ରମୁଖ ସଂସ୍ଥାରେ ଅଭିଯୋଗ ଦାୟର କରିଛନ୍ତି।
CJP ର ଆଇନଗତ ସ୍ଥିତି ଏବଂ ପଞ୍ଜୀକରଣକୁ ନେଇ ଇସିଆଇରେ ଅଭିଯୋଗ କରାଯାଇଛି। ସାଂସଦ କପିଲ ସିବଲଙ୍କ ଦ୍ୱାରା ଦିଆଯାଇଥିବା ୧ କୋଟି ଟଙ୍କାର ପାଣ୍ଠି ଉପରେ ୧୮ ପ୍ରତିଶତ ଜିଏସ୍ଟି (GST) ଲଗାଯିବା ପାଇଁ ଦାବି କରାଯାଇଛି। ଅଭିଜିତ ଦୀପକେଙ୍କ ପରିବାରର ସମ୍ପତ୍ତି ଏବଂ ଆୟର ଉତ୍ସ ସମ୍ପର୍କରେ ତଦନ୍ତ ପାଇଁ ମହାରାଷ୍ଟ୍ର ସରକାରଙ୍କ ନିକଟରେ ମଧ୍ୟ ଅଭିଯୋଗ ଦାଖଲ ହୋଇଛି।