ଭୁବନେଶ୍ୱର: ବନ୍ୟା ପ୍ରଭାବିତ ଓଡ଼ିଶା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ସହାୟତା। ଚଳିତ ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିର ମୁକାବିଲା ଓ ରିଲିଫ୍ କାର୍ଯ୍ୟକୁ ଆହୁରି ସୁଦୃଢ଼ କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରାଜ୍ୟକୁ ୫୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି ଅର୍ଥ ରାଜ୍ୟ ବିପର୍ଯ୍ୟୟ ପ୍ରତିକ୍ରିୟା ପାଣ୍ଠି (SDRF)ର କେନ୍ଦ୍ରୀୟ ଅଂଶର ଦ୍ୱିତୀୟ କିସ୍ତି ଭାବେ ଆଗୁଆ ଜାରି କରାଯାଇଛି।
କେନ୍ଦ୍ର ସରକାର ମୋଟ ୨,୧୧୭.୮୫ କୋଟି ଟଙ୍କା ସାତଟି ବନ୍ୟା ପ୍ରଭାବିତ ରାଜ୍ୟ ପାଇଁ ଅନୁମୋଦନ କରିଛନ୍ତି। ଏଥିରୁ ଓଡ଼ିଶାକୁ ୫୦୦ କୋଟି ଟଙ୍କା ମିଳିଥିବା ବେଳେ ମହାରାଷ୍ଟ୍ର ଓ ଗୁଜରାଟକୁ ମଧ୍ୟ ୫୦୦ କୋଟି ଟଙ୍କା ଲେଖାଏଁ ଦିଆଯାଇଛି। ଆସାମକୁ ୩୭୯.୩୫ କୋଟି, ହିମାଚଳ ପ୍ରଦେଶକୁ ୧୯୩.୯୫ କୋଟି ଏବଂ ଅରୁଣାଚଳ ପ୍ରଦେଶକୁ ୪୪.୫୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ନାଗାଲାଣ୍ଡ ମଧ୍ୟ ପୂର୍ବରୁ ପ୍ରଥମ କିସ୍ତି ପାଇସାରିଛି।
ଓଡ଼ିଶା ଓ ହିମାଚଳ ପ୍ରଦେଶ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ SDRFର ପ୍ରଥମ କିସ୍ତି ପୂର୍ବରୁ ପାଇଥିବାରୁ ବର୍ତ୍ତମାନ ଦ୍ୱିତୀୟ କିସ୍ତି ଆଗୁଆ ଜାରି କରାଯାଇଛି। ଏହି ଅର୍ଥ ବନ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର, ରିଲିଫ୍, ପୁନର୍ବାସ ଏବଂ ଜରୁରୀକାଳୀନ ବ୍ୟବସ୍ଥାକୁ ଆହୁରି ତ୍ୱରାନ୍ୱିତ କରିବ।
କେନ୍ଦ୍ର ସରକାର କହିଛନ୍ତି ଯେ, ମୌସୁମୀ ବର୍ଷା ଆରମ୍ଭ ହେବା ପରଠାରୁ ବନ୍ୟା ସ୍ଥିତି ଉପରେ ଲଗାତାର ନଜର ରଖାଯାଉଛି। ରାଜ୍ୟ ସରକାରମାନଙ୍କ ସହ ସମନ୍ୱୟ ରକ୍ଷା କରି ଆବଶ୍ୟକ ସମସ୍ତ ସହାୟତା ଯୋଗାଇ ଦିଆଯାଉଛି। ଆବଶ୍ୟକ ସ୍ଥାନରେ ଜାତୀୟ ବିପର୍ଯ୍ୟୟ ମୁକାବିଲା ବାହିନୀ (NDRF) ଟିମ୍କୁ ପୂର୍ବରୁ ମୁତୟନ କରାଯାଇଥିବା ବେଳେ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ ଲଜିଷ୍ଟିକ୍ ସହଯୋଗ ଦିଆଯାଇଛି।
ବନ୍ୟା କ୍ଷୟକ୍ଷତିର ଆକଳନ ପାଇଁ ଅରୁଣାଚଳ ପ୍ରଦେଶ ଓ ଆସାମକୁ ଆନ୍ତଃମନ୍ତ୍ରାଳୟ କେନ୍ଦ୍ରୀୟ ଟିମ୍ (IMCT) ପଠାଯାଇଛି। ଆସାମର ଗୁରୁତର ବନ୍ୟା ପରିସ୍ଥିତି ଦୃଷ୍ଟିରୁ ସେଠାକୁ ଦୁଇଥର IMCT ଗସ୍ତ କରିଛି। ନାଗାଲାଣ୍ଡ ସରକାରଙ୍କ ଅନୁରୋଧ କ୍ରମେ ସେଠାକୁ ମଧ୍ୟ ଏକ IMCT ଗଠନ କରାଯାଉଛି।
କେନ୍ଦ୍ର ସରକାର କହିଛନ୍ତି, ବନ୍ୟା ପୀଡ଼ିତ ଲୋକଙ୍କୁ ଶୀଘ୍ର ସହାୟତା ପହଞ୍ଚାଇବା ଏବଂ ରାଜ୍ୟଗୁଡ଼ିକ ପାଖରେ ଅର୍ଥର ଅଭାବ ନ ରହିବା ପାଇଁ SDRFର କିସ୍ତିକୁ ଆଗୁଆ ଜାରି କରାଯାଇଛି। ଏହାଦ୍ୱାରା ଓଡ଼ିଶା ସମେତ ବନ୍ୟା ପ୍ରଭାବିତ ରାଜ୍ୟଗୁଡ଼ିକର ଉଦ୍ଧାର, ରିଲିଫ୍ ଓ ପୁନର୍ବାସ କାର୍ଯ୍ୟ ଆହୁରି ତ୍ୱରାନ୍ୱିତ ହେବ ବୋଲି ଆଶା କରାଯାଉଛି।