ପୁନେ: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା (ଏନ୍ଏସ୍ଏ) ଅଜିତ ଡୋଭାଲଙ୍କୁ ଲୋକମାନ୍ୟ ତିଲକ ସମ୍ମାନରେ ସମ୍ମାନୀତ କରିଛନ୍ତି । ମହାରାଷ୍ଟ୍ର ପୁନେ ଆୟୋଜିତ ବାଲ୍ ଗଙ୍ଗାଧର ତିଲକଙ୍କ ୧୦୬ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ଡୋଭାଲଙ୍କୁ ଜାତୀୟ ସୁରକ୍ଷା ପାଇଁ ପ୍ରତିବଦ୍ଧତା ଓ କୁଶଳୀ ରଣନୀତି ପାଇଁ ଏହି ସମ୍ମାନରେ ସମ୍ମାନୀତ କରିଛନ୍ତି ।
୮୧ ବର୍ଷିୟ ଡୋଭାଲ ଦେଶର ସୁରକ୍ଷା କ୍ଷେତ୍ରରେ ଅନେକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି । ବିଶେଷକରି ଆତଙ୍କବାଦୀ ନିରୋଧ କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ରହିଛି । ଦେଶର ଅନେକ ସମ୍ବେଦନଶୀଳ ରାଜ୍ୟ ମିଜୋରାମ, ସିକ୍କିମ, ପଞ୍ଜାବ ଓ ଜମ୍ମୁ କାଶ୍ମୀର ସୁରକ୍ଷା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଇସଲାମବାଦ ଏବଂ ଲଣ୍ଡନରେ କୂଟନୈତିଜ୍ଞ ଭାବେ କାର୍ଯ୍ୟ କରିଛନ୍ତି । ସେ ଏନ୍ଏସ୍ଏ ଭାବରେ ସର୍ବାଧିକ ସମୟ ରହିଛନ୍ତି । ସେ ଭାରତ-ଚାଇନା ଡୋକଲାମ ସୀମା ବିବାଦରେ ଭାରତ ସ୍ୱତନ୍ତ୍ର ପ୍ରତିନିଧିତ୍ୱ ଅଧିକାରୀ ଥିଲେ ।
୧୯୮୩ ମସିହାରେ ପ୍ରତିଷ୍ଠା ହୋଇଥିବା ଲୋକମାନ୍ୟ ତିଲକ ପୁରସ୍କାର ପ୍ରଥମେ ସମାଜବାଦୀ ନେତା ଏସ୍.ଏମ୍. ଜୋଶୀଙ୍କୁ ପ୍ରଦାନ କରାଯାଇଥିଲା । ଏହା ପ୍ରତିବର୍ଷ ଅଗଷ୍ଟ ୧ ତାରିଖରେ ସ୍ୱାଧୀନତା ସଂଗ୍ରାମୀ ବାଲ ଗଙ୍ଗାଧର ତିଲକଙ୍କ ଶ୍ରାଦ୍ଧ ବାର୍ଷିକୀରେ ଦେଶର ପ୍ରଗତି ଏବଂ ବିକାଶରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବ୍ୟକ୍ତିବିଶେଷଙ୍କୁ ପ୍ରଦାନ କରାଯାଏ। ଏହି ପୁରସ୍କାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ, ମନମୋହନ ସିଂହ ଏବଂ ଇନ୍ଦିରା ଗାନ୍ଧୀ, ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଏବଂ ପ୍ରବୀଣ ରାଜନେତା ଶରଦ ପାୱାରଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କୁ ପ୍ରଦାନ କରାଯାଇଛି।