ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ “ସାର୍ବଜନୀନ ପରୀକ୍ଷା (ଅସାଧୁ ଉପାୟ ନିବାରଣ) ସଂଶୋଧନ ୨୦୨୬” ବିଧେୟକ ବା ଆଣ୍ଟି ପେପର୍ ଲିକ୍ ବିଲ୍ ଉପରେ ରାଷ୍ଟ୍ରପତିଙ୍କ ମୋହର ବାଜିଛି । ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କ ଅନୁମୋଦନ ପରେ ଏହି ବିଲ୍ ଆଇନରେ ପରିଣତ ହୋଇଛି । କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରାଳୟ ଏ ନେଇ ଶୁକ୍ରବାର ଏକ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରି ସୂଚନା ପ୍ରଦାନ କରିଛି । ଏହି ଆଇନ ଆସିବା ଦ୍ୱାରା ସର୍ବଭାରତୀୟ ମେଡ଼ିକାଲ ପ୍ରବେଶିକା ପରୀକ୍ଷା (ନିଟ୍) କିମ୍ବା ୟୁପିଏସସି ଭଳି ସାର୍ବଜନୀନ ସରକାରୀ ପରୀକ୍ଷାରେ କୌଣସି ଅନିୟମିତତା କଲେ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଭୋଗିବାର ପ୍ରାବଧାନ ରହିଛି ।
ନିଟ୍ ପରୀକ୍ଷା ପେପର୍ ଲିକ୍ ହେବା ପରେ ଚଳିତ ମୌସୁମୀ ଅଧିବେଶନର ଦ୍ୱିତୀୟ ସପ୍ତାହରେ କେନ୍ଦ୍ର କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ରାଷ୍ଟ୍ରମନ୍ତ୍ରୀ ଗତ ସୋମବାର ଲୋକସଭାରେ “ସାର୍ବଜନୀନ ପରୀକ୍ଷା (ଅସାଧୁ ଉପାୟ ନିବାରଣ) ସଂଶୋଧନ ବିଲ୍ ୨୦୨୬” ବା ଆଣ୍ଟି ପେପର୍ ଲିକ୍ ବିଲ୍ ଆଗତ କରିଥିଲେ । ଉଭୟ ଗୃହରେ ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟମାନେ ଆଲୋଚନା ଅଂଶଗ୍ରହଣ କରି ନିଜର ସୁଚିନ୍ତିତ ମତାମତ ରଖିଥିଲେ । ବିଲ୍ ଆଗତ ସମୟରେ ବିରୋଧୀ ସଦସ୍ୟମାନେ ନିଟ୍ ପେପର୍ ଲିକକୁ ପ୍ରସଙ୍ଗ କରି ସରକାରଙ୍କୁ ତୀବ୍ର ସମାଲୋଚନା ମଧ୍ୟ କରିଥିଲେ । ତମାମ ତର୍କବିତର୍କ ପରେ ଗତ ୨୯ ତାରିଖ, ବୁଧବାର ଦିନ ବିଲ୍ ପ୍ରଥମେ ଲୋକସଭା ଓ ୩୦ ତାରିଖ ଗୁରୁବାର ଦିନ ରାଜ୍ୟସଭାରେ ପାରିତ ହୋଇଥିଲା । ଏହାର ଗୋଟିଏ ଦିନ ପରେ ଗତକାଲି ରାଷ୍ଟ୍ରପତି ବିଧେୟକ ଉପରେ ଅନ୍ତିମ ମୋହର ମାରିଛନ୍ତି ।
ସଂଶୋଧିତ ଆଇନ କାର୍ଯ୍ୟକାରୀ ହେବା ଦ୍ୱାରା ଯେଉଁମାନେ କୌଣସି ସରକାରୀ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଅନିୟମିତତା କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେବେ ତେବେ ସେମାନଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସଂଶୋଧିତ ଆଇନ ଅନୁଯାୟୀ, ପବ୍ଲିକ୍ ପରୀକ୍ଷାରେ ପେପର୍ ଲିକ୍ କିମ୍ବା ଅନୁଚିତ ଉପାୟ ବ୍ୟବହାର କରିବା ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିମାନଙ୍କୁ ପାଞ୍ଚରୁ ଦଶ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଏବଂ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିବ। ସେହିପରି ସଂଗଠିତ ଅପରାଧ ପାଇଁ ଆଇନରେ ସର୍ବନିମ୍ନ ସାତ ବର୍ଷ ଜେଲଦଣ୍ଡ ଏବଂ ୧୦ କୋଟି ଟଙ୍କାର ଜରିମାନା ଦେବାର ଦଣ୍ଡବିଧାନ ବ୍ୟବସ୍ଥା ରହିଛି ।