କନ୍ଧମାଳ: କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ପାର୍ତ୍ତିଗୁଡ଼ା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ । ଶିକ୍ଷକଙ୍କ ମାଡ଼ରେ ତୃତୀୟ ଶ୍ରେଣୀ ଛାତ୍ରୀଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ଘଟଣାଟି ଗତ ୨୮ ତାରିଖର ବୋଲି ଜଣାପଡ଼ିଛି । ଛାତ୍ରୀ ଜଣକ ବିଦ୍ୟାଳୟରେ ଥିବାବେଳେ ଶିକ୍ଷକ ଜଣକଙ୍କ ତାଙ୍କୁ ମାଡ଼ ମାରିଥିଲେ । ଛାତ୍ରୀ ଜଣକ ଗୁରୁତର ହେବାରୁ ତାଙ୍କୁ ସୋରଡ଼ା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ଛାତ୍ରୀଙ୍କୁ ମୃତ ଘୋଷଣା କରିଥିଲେ । ପରିବାର ଲୋକେ ସମ୍ପୃକ୍ତ ଶିକ୍ଷକଙ୍କ ନାଁରେ ଅଭିଯୋଗ ଆଣିଛନ୍ତି । ଏହାକୁ ନେଇ ଗ୍ରାମରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଘଟଣା ପରଠାରୁ କୌଣସି ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଯାଉନଥିବା ଅଭିଯୋଗ ହୋଇଛି । ତେବେ ମାଡ଼ ମାରିବା ଅଭିଯୋଗକୁ ସମ୍ପୃକ୍ତ ଶିକ୍ଷକ ଖଣ୍ଡନ କରିଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, କୋରାପୁଟ ଜିଲ୍ଲା ଜୟପୁରର ବାରର୍ଣିପୁଟ ଯୋଜନା ଉଚ୍ଚ ବିଦ୍ୟାଳୟ ପରିସର ବାହାରେ ଜଣେ ଅଣ ଛାତ୍ରଙ୍କ ଛୁରା ମାଡ଼ରେ ବିଦ୍ୟାଳୟର ଜଣେ ଦଶମ ଶ୍ରେଣୀ ଛାତ୍ର ମହେଶ ବାଗଙ୍କର ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ଅଭିଭାବକଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଥିଲା ।