ଜୟପୁର: କୋରାପୁଟ ଜିଲ୍ଲା ଜୟପୁରର ବାରର୍ଣିପୁଟ ଯୋଜନା ଉଚ୍ଚ ବିଦ୍ୟାଳୟ ପରିସର ବାହାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଜଣେ ଅଣ ଛାତ୍ରଙ୍କ ଛୁରା ମାଡ଼ରେ ବିଦ୍ୟାଳୟର ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକ ହେଲେ ମୂରଲୀ ବାଗଙ୍କ ପୁଅ ମହେଶ ବାଗ ।
ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପର୍ଶୁରାମ ସେଠିଙ୍କ ସୂଚନା ଅନୁସାରେ, ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ସମୟ ଛୁଟି ବେଳେ ଛାତ୍ର ଜଣକ ବାହାରକୁ ଯିବା ବେଳେ ଛୁରା ମାଡ଼ ହୋଇଛି । ଜଣେ ଅଣଛାତ୍ରଙ୍କ ସହିତ ଛାତ୍ରଙ୍କର କୌଣସି କାରଣକୁ ନେଇ ବଚସା ହୋଇଥିଲା । ଏହା ଉପରେ ଅଣଛାତ୍ର ଜଣକ ତାଙ୍କୁ ଛୁରା ମାଡ଼ କରି ଫେରାର ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛି । ଏ ନେଇ ପୋଲିସକୁ ସୂଚନା ଦିଆଯାଇଛି । ଛୁରା ମାଡ଼ କରିଥିବା ପିଲା ବିଦ୍ୟାଳୟର ନୁହଁନ୍ତି ଏବଂ ଏହି ଘଟଣା ବିଦ୍ୟାଳୟ ପରିସର ବାହାରେ ଘଟିଥିବା ପ୍ରଧାନ ଶିକ୍ଷକ ସ୍ପଷ୍ଟ କରିଛନ୍ତି ।
ଅନ୍ୟପକ୍ଷରେ ପୁଅର ମୃତ୍ୟୁ ଖବର ପାଇବା ପରେ ହସ୍ପିଟାଲର ସମ୍ପର୍କୀୟଙ୍କ ଭିଡ଼ ଜମିଛି । ଦୋଷୀକୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି । ତେବେ ପୁଲିସ ଖବର ହସ୍ପିଟାଲରେ ପହଁଚିଛି ।