ଝାରସୁଗୁଡ଼ା: ଝାରସୁଗୁଡ଼ା ବ୍ରଜରାଜନଗରରେ ଫୁଟିଛି ପୋଲିସ ଗୁଳି । ବ୍ରଜରାଜନଗର ଓପିଏମ୍ ଇବ୍ ନଦୀ ଘାଟରେ ପୋଲିସ ଏନ୍କାଉଣ୍ଟର କରିଛି । ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଅଙ୍କିତ ଘୋଷ ଗୁରୁତର ଆହତ ହୋଇଛି ।
ବ୍ରାଜରାଜନଗର ଅଞ୍ଚଳରେ ଇବ୍ ନଦୀ ଓ ପିଏମ ଘାଟ ଅଞ୍ଚଳରେ ଅଙ୍କିତ ଓ ତାର କିଛି ସହଯୋଗୀ କୌଣସି ଅପରାଧିକ ଷଡ଼ଯନ୍ତ୍ର କରୁଥିବାବେଳେ ପୋଲିସ ଚଢ଼ଉ କରିଥିଲା । ପୋଲିସକୁ ଦେଖି ଅଙ୍କିତ ପ୍ରଥମେ ୫ ରାଉଣ୍ଡ ଗୁଳି ଚଳାଇଥିଲା । ଜବାବରେ ପୋଲିସ ପକ୍ଷରୁ ଗୁଳି ଚାଳନା କରାଯାଇଥିଲା । ପୋଲିସ ପ୍ରାୟ ୪ ରାଉଣ୍ଡ ଗୁଳି ଚଳାଇଥିଲା। ଏହି ଗୁଳି ବିନିମୟ ସମୟରେ ଅଙ୍କିତର ଗୋଡ଼ରେ ଗୁଳି ବାଜିଥିଲା, ଫଳରେ ଘଟଣା ସ୍ଥଳରେ ସେ ପଡ଼ିଯାଇଥିଲା । ପୋଲିସ ତାକୁ କାବୁ କରିନେଇଥିଲା । କିନ୍ତୁ ତାର ସହଯୋଗୀମାନେ ମଉକା ଦେଖି ଖସି ପଳାଇଥିଲେ । ଅଙ୍କିତକୁ ବର୍ତ୍ତମାନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ସୋନୁ ଘୋଷ ବ୍ରଜରାଜନଗର ଅଞ୍ଚଳର ଜଣେ କୁଖ୍ୟାତ ଅପରାଧୀ ଭାବେ ପରିଚିତ। ତାଙ୍କ ନାମରେ ହତ୍ୟା, ବେଆଇନ ଅସ୍ତ୍ର କାରବାର ସମେତ ୫୦ରୁ ଅଧିକ ମାମଲା ରହିଛି। ୨୦୧୯ର ଚର୍ଚ୍ଚିତ ଅମିତ ଧଳ ହତ୍ୟାକାଣ୍ଡରେ ସେ ମୁଖ୍ୟ ଅଭିଯୁକ୍ତ ଥିଲେ ଏବଂ ପରେ କୋଲକାତାରୁ ଗିରଫ ହୋଇ ଏନ୍ଏସ୍ଏ ଅଧୀନରେ ଜେଲକୁ ପଠାଯାଇଥିଲେ। ଘଟଣା ପରେ ସମଗ୍ର ବ୍ରଜରାଜନଗର ଅଞ୍ଚଳରେ ଚର୍ଚ୍ଚା ବଢ଼ିଥିବା ବେଳେ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।