ଦେବଗଡ଼: ଦେବଗଡ଼ ଜିଲ୍ଲାର କୁଣ୍ଡେଇଗୋଳା ଥାନା ଅନ୍ତର୍ଗତ ଗରିଆପାଲି ଗାଁରେ ଘଟିଛି ଏକ ଜଘନ୍ୟ ହତ୍ୟାକାଣ୍ଡ। ପାରିବାରିକ କଳହ ପରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ, ବୋହୂ ଏବଂ ମାତ୍ର ୪ ବର୍ଷର ନାତୁଣୀଙ୍କୁ ହାତୁଡ଼ିରେ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣା ପରେ ଅଭିଯୁକ୍ତ ଫେରାର ହୋଇଯାଇଥିବାବେଳେ ପୋଲିସ ତାଙ୍କୁ ଧରିବା ପାଇଁ ଜୋରଦାର ତଲାସି ଚଳାଇଛି।
ସୂଚନା ଅନୁଯାୟୀ, ଗରିଆପାଲି ଗାଁର ୫୨ ବର୍ଷୀୟ ରମେଶ ଗରିଆଙ୍କ ଘରେ ବୁଧବାର କୌଣସି କାରଣକୁ ନେଇ ପାରିବାରିକ ବିବାଦ ହୋଇଥିଲା। ପରେ ସେ ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେ ଘରକୁ ଫେରିଥିଲେ। ରାଗରେ ଉତ୍ତେଜିତ ହୋଇ ସେ ଘରେ ଥିବା ନିଜ ପତ୍ନୀ ଗୁଲଗରିଆ, ବୋହୂ ଲିପି ମହାକୁଲ ଏବଂ ୪ ବର୍ଷର ନାତୁଣୀ ଇଶାନୀଙ୍କ ଉପରେ ହାତୁଡ଼ିରେ ଲଗାତାର ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ହିଁ ତିନିଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି।
ଘଟଣା ବେଳେ ଘରର ଅନ୍ୟ ସଦସ୍ୟମାନେ ବାହାରେ ଥିଲେ। ପରେ ଅଭିଯୁକ୍ତଙ୍କ ପୁଅ ଘରକୁ ଫେରି ମା', ସ୍ତ୍ରୀ ଓ ଝିଅଙ୍କୁ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖି ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ଖବର ପାଇ କୁଣ୍ଡେଇଗୋଳା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତଦେହଗୁଡ଼ିକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଯାଇଛି।
ଏହି ବୀଭତ୍ସ ହତ୍ୟାକାଣ୍ଡ ପରେ ସମଗ୍ର ଗରିଆପାଲି ଗାଁରେ ଭୟ ଓ ଶୋକର ଛାୟା ଖେଳିଯାଇଛି। ପୋଲିସ ହତ୍ୟା ମାମଲା ରୁଜୁ କରି ଫେରାର ଅଭିଯୁକ୍ତଙ୍କୁ ଧରିବା ସହ ଘଟଣାର ପ୍ରକୃତ କାରଣ ଖୋଜୁଛି। ପ୍ରାଥମିକ ତଦନ୍ତରେ ଘରୋଇ କଳହ ଓ ନିଶାସକ୍ତ ଅବସ୍ଥା ଏହି ହତ୍ୟାକାଣ୍ଡର କାରଣ ହୋଇଥିବା ସନ୍ଦେହ କରାଯାଉଛି। ତେବେ ଅଭିଯୁକ୍ତ ଗିରଫ ହେବା ପରେ ସମଗ୍ର ଘଟଣାର ପ୍ରକୃତ ରହସ୍ୟ ସାମ୍ନାକୁ ଆସିବ ବୋଲି ପୋଲିସ କହିଛି।