ଗଞ୍ଜାମ: ବ୍ରହ୍ମପୁରରେ ଝିଅର ଆତ୍ମାହୁତୀ ଉଦ୍ୟମ ଘଟଣାରେ ଆସିଛି ବଡ଼ ମୋଡ଼। ଝିଅଙ୍କ ଅଭିଯୋଗ ଓ ତଦନ୍ତରେ ମିଳିଥିବା ପ୍ରମାଣ ଆଧାରରେ ଅଭିଯୁକ୍ତ ବାପାଙ୍କୁ ଗିରଫ କରିଛି ପୋଲିସ। ଏନେଇ ସୂଚନା ଦେଇଛନ୍ତି ବ୍ରହ୍ମପୁରର ଅତିରିକ୍ତ ଏସ୍ପି ଆଲୋକ ଜେନା।
ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ପୋଲିସ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ବର୍ତ୍ତମାନ ଭୁବନେଶ୍ୱରରେ ଚିକିତ୍ସାଧୀନ ଥିବା ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି। ସେ ନିଜ ବାପାଙ୍କ ବିରୋଧରେ ଯୌନ ନିର୍ଯାତନା (Sexual Abuse) ଅଭିଯୋଗ ଆଣିଥିବା ପୋଲିସ ସ୍ପଷ୍ଟ କରିଛି।
ତଦନ୍ତ ସମୟରେ ଘଟଣା ସହ ଜଡ଼ିତ କିଛି ଚାଟ୍ ଓ ଡିଜିଟାଲ୍ ପ୍ରମାଣ ମଧ୍ୟ ପୋଲିସ ହସ୍ତଗତ କରିଥିବା ସୂଚନା ମିଳିଛି। ଏହି ମାମଲାରେ ଯଦି ଆଉ କାହାର ସମ୍ପୃକ୍ତି ଥିବା ପ୍ରମାଣ ମିଳେ, ସେମାନଙ୍କ ବିରୋଧରେ ମଧ୍ୟ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅତିରିକ୍ତ ଏସ୍ପି କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଗଞ୍ଜାମ ଜିଲ୍ଲା ନିମଖଣ୍ଡି ଥାନା ଅନ୍ତର୍ଗତ ନୋଚାପଡ଼ା ବାସୁଦେବ ନଗରରେ ଏହି ଲଜ୍ଜାଜନକ ଘଟଣା ଘଟିଥିଲା। ଘଟଣା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିବା ବେଳେ ପୋଲିସର ତଦନ୍ତ ଜାରି ରହିଛି। ଘଟଣା ପୂର୍ବରୁ ଯୁବତୀ ରେକର୍ଡ କରିଥିବା ଏକ ଭିଡିଓ ସାମ୍ନାକୁ ଆସିଥିବା ବେଳେ, ସେଥିରେ ସେ ନିଜ ବାପାଙ୍କ ବିରୋଧରେ ଅତ୍ୟନ୍ତ ଗୁରୁତର ଅଭିଯୋଗ ଆଣିଥିଲେ। ଭିଡିଓରେ ଯୁବତୀ ଦାବି କରିଛନ୍ତି ଯେ ତାଙ୍କ ବାପା ତାଙ୍କ ସହ ଅନୈତିକ ସମ୍ପର୍କ ରଖି ତାଙ୍କୁ ତିନି ମାସର ଗର୍ଭବତୀ କରିଥିଲେ। ଏଥିସହ ପଇସାର ଲୋଭରେ ଅନ୍ୟମାନଙ୍କ ସହ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିବା ଅଭିଯୋଗ ମଧ୍ୟ ସେ କରିଛନ୍ତି। ଏହି ଘଟଣାରେ ଝିଅର ବୟାନ ଓ ପ୍ରମାଣ ଆଧାରରେ ଆକ୍ସନ୍ ମୋଡ୍ରେ ଆସି ପୋଲିସ ପାପୀ ବାପାଙ୍କୁ ଗିରଫ କରିଛି।
ଅଧିକ ପଢନ୍ତୁ: ବ୍ରହ୍ମପୁର ଆତ୍ମାହୁତି ଉଦ୍ୟମରେ ଚାଞ୍ଚଲ୍ୟକର ମୋଡ଼; ଭିଡିଓରେ ବାପାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ଯୁବତୀ