କଟକ: ଲଗାଣ ବର୍ଷା ଓ ଉପରମୁଣ୍ଡରୁ ମାଡ଼ି ଆସୁଥିବା ବିପୁଳ ଜଳରାଶି ଏବେ ତଳମୁଣ୍ଡର ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି। ହୀରାକୁଦ ଜଳଭଣ୍ଡାରରୁ ଛାଡ଼ାଯାଇଥିବା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଶେଷରେ ମୁଣ୍ଡଳୀ ବ୍ୟାରେଜରେ ପହଞ୍ଚିଛି। ଏହାର ପ୍ରଭାବରେ ମହାନଦୀ ଓ ଏହାର ଶାଖା ନଦୀଗୁଡ଼ିକର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଛି। ନଦୀର ବଦଳୁଥିବା ରୂପ ଦେଖି କଟକ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ସମେତ ତଳିଆ ଅଞ୍ଚଳର ଲୋକଙ୍କ ମଧ୍ୟରେ ଆଶଙ୍କା ବଢ଼ିଛି।
ମହାନଦୀର ଉପରମୁଣ୍ଡ ଏବଂ ଛତିଶଗଡ଼ରେ ଲଗାଣ ବର୍ଷା ହେବାରୁ ହୀରାକୁଦ ଡ୍ୟାମ୍ରେ ଜଳସ୍ତର ଦ୍ରୁତ ଗତିରେ ବଢ଼ିଥିଲା। ପରିସ୍ଥିତିକୁ ନଜରରେ ରଖି ପ୍ରଶାସନ ପର୍ଯ୍ୟାୟକ୍ରମେ ଏକାଧିକ ସୁଇସ୍ ଗେଟ୍ ଖୋଲି ଲକ୍ଷ ଲକ୍ଷ କ୍ୟୁସେକ୍ ବନ୍ୟାଜଳ ତଳମୁଣ୍ଡକୁ ଛାଡ଼ିଥିଲା। ସେହି ବନ୍ୟାଜଳ ଏବେ ମୁଣ୍ଡଳୀରେ ପହଞ୍ଚିବା ସହ ମହାନଦୀରେ ଜଳପ୍ରବାହ ବଢ଼ିବା ଆରମ୍ଭ ହୋଇଛି।
ଜଳସମ୍ପଦ ବିଭାଗ ସୂଚନା ଅନୁଯାୟୀ, ମୁଣ୍ଡଳୀରେ ପାଣିର ପ୍ରବାହକୁ ରିଅଲ୍-ଟାଇମ୍ ମନିଟରିଂ କରାଯାଉଛି। ପ୍ରତି ମୁହୂର୍ତ୍ତର ସ୍ଥିତି ଉପରେ ନଜର ରଖାଯାଉଥିବା ବେଳେ, ତଳିଆ ଅଞ୍ଚଳରେ କୌଣସି ଅଘଟଣ ଏଡ଼ାଇବା ପାଇଁ ପ୍ରଶାସନ ସତର୍କ ରହିଛି।
ଏପଟେ ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନର (SRC) ସମ୍ଭାବ୍ୟ ବନ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକର ଜିଲ୍ଲାପାଳଙ୍କୁ ହାଇ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନଦୀକୂଳିଆ ଓ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବା ସହ ପ୍ରଶାସନର ପରାମର୍ଶ ମାନିବାକୁ ଅନୁରୋଧ କରାଯାଇଛି। ଆଗାମୀ କିଛି ଦିନ ବର୍ଷା ଜାରି ରହିଲେ ଜଳସ୍ତର ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।