ଭଦ୍ରକ: ନିର୍ବାଚନୀ କାର୍ଯ୍ୟରେ ଅବହେଳାକୁ ନେଇ ଭଦ୍ରକ ଜିଲ୍ଲା ପ୍ରଶାସନ କଠୋର ପଦକ୍ଷେପ ନେଇଛି। ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ୍ (SIR)-୨୦୨୬ କାର୍ଯ୍ୟକ୍ରମ ସମୟରେ ଗୁରୁତର ଖାମଖିଆଲି ଅଭିଯୋଗରେ ଜଣେ ବୁଥ୍ ଲେଭେଲ୍ ଅଫିସର୍ (BLO)ଙ୍କୁ ତୁରନ୍ତ ପ୍ରଭାବରୁ ନିଲମ୍ବନ କରାଯାଇଛି। ଏହି ଘଟଣା ପରେ ନିର୍ବାଚନୀ କାର୍ଯ୍ୟରେ ନିୟୋଜିତ ଅନ୍ୟ କର୍ମଚାରୀଙ୍କ ପାଇଁ ଏହା ଏକ କଡ଼ା ବାର୍ତ୍ତା ବୋଲି ଚର୍ଚ୍ଚା ହେଉଛି।
ନିଲମ୍ବିତ କର୍ମଚାରୀ ହେଲେ ସପନ କୁମାର ନାୟକ। ସେ ଚନ୍ଦ୍ରକଟା ବିନ୍ଧା ପିଏସଏସ୍ ନୋଡାଲ୍ ହାଇସ୍କୁଲର ସହକାରୀ ଶିକ୍ଷକ ହେବା ସହ ଚାନ୍ଦବାଲି ବିଧାନସଭା କ୍ଷେତ୍ର ଅନ୍ତର୍ଗତ ମାଲପୁରର ବୁଥ୍ ନମ୍ବର–୨୯ ପାଇଁ BLO ଭାବେ ନିଯୁକ୍ତ ଥିଲେ।
ଅଭିଯୋଗ ଅନୁସାରେ, ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ କାର୍ଯ୍ୟକ୍ରମ ପାଇଁ ERO-NET ପ୍ଲାଟଫର୍ମରେ ପଞ୍ଜୀକରଣ ଓ BLO ଆପ୍ ସକ୍ରିୟ କରିବାକୁ ଆବଶ୍ୟକ PIC ବିବରଣୀ ଓ OTP ଦେବାରେ ସେ ବାରମ୍ବାର ବିଫଳ ହୋଇଥିଲେ। ପ୍ରଶାସନ ପକ୍ଷରୁ ଏକାଧିକ ଥର ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ସେ ସହଯୋଗ କରିନଥିଲେ। ଏପରିକି କାରଣ ଦର୍ଶାଅ ନୋଟିସ୍ ଜାରି ହେବା ପରେ ମଧ୍ୟ ତାଙ୍କ ପକ୍ଷରୁ ସନ୍ତୋଷଜନକ ଜବାବ କିମ୍ବା ସହଯୋଗ ମିଳିନଥିଲା।
ଏହାଫଳରେ SIR-୨୦୨୬ ଅନ୍ତର୍ଗତ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥିବାରୁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଦିଲୀପ ରାଉତରାୟ ତାଙ୍କୁ ନିଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ନିଲମ୍ବନ ଅବଧିରେ ସପନ କୁମାର ନାୟକଙ୍କ ମୁଖ୍ୟାଳୟ ଭଦ୍ରକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ରହିବ। ପୂର୍ବ ଅନୁମତି ବିନା ସେ ମୁଖ୍ୟାଳୟ ଛାଡ଼ି କେଉଁଠିକୁ ଯାଇପାରିବେ ନାହିଁ।
ଜିଲ୍ଲା ପ୍ରଶାସନ ସ୍ପଷ୍ଟ କରିଛି ଯେ, ନିର୍ବାଚନ ଭଳି ସମ୍ବିଧାନିକ ଓ ସମ୍ବେଦନଶୀଳ କାର୍ଯ୍ୟରେ କୌଣସି ପ୍ରକାରର ଅବହେଳା କିମ୍ବା ଅସହଯୋଗକୁ ବରଦାସ୍ତ କରାଯିବ ନାହିଁ। ଏହି ଘଟଣା ପରେ ଜିଲ୍ଲାରେ ନିର୍ବାଚନୀ ଦାୟିତ୍ୱରେ ଥିବା ସମସ୍ତ କର୍ମଚାରୀଙ୍କୁ ସତର୍କତାର ସହ କାମ କରିବାକୁ ପ୍ରଶାସନ ପରୋକ୍ଷ ସନ୍ଦେଶ ଦେଇଛି।