ଭୁବନେଶ୍ୱର: ବିଦ୍ୟାଳୟ ପାଠ୍ୟ ପୁସ୍ତକ ତ୍ରୁଟି ଘଟଣାକୁ ଗମ୍ଭୀରତାର ସହିତ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ଏଥିରେ ଅପରାଧିକ ଷଡ଼ଯନ୍ତ୍ର ଗନ୍ଧ ବାରିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କ୍ରାଇମ ବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ମୋହନ ମାଝୀ ଆଜି ଏ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ସମଗ୍ର ପ୍ରକ୍ରିୟା ଉପରେ ଅପରାଧିକ ତଦନ୍ତ (Criminal Investigation) କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ସ୍ୱତନ୍ତ୍ର ଭାବେ କ୍ରାଇମ ବ୍ରାଞ୍ଚ ଏସ୍.ପି.ଙ୍କ ନିକଟରେ ଏଫ୍ଆଇଆର୍ ଦାୟର କରିବାକୁ ଏସସିଇଆରଟି ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟ ପୁସ୍ତକରେ ତ୍ରୁଟିକୁ ନେଇ ରାଜ୍ୟ ସରକାରଙ୍କୁ ଗମ୍ଭୀର ସମାଲୋଚନାର ଶୀକାର ହେବାକୁ ପଡ଼ିଛି । ପୂର୍ବରୁ ପାଠ୍ୟ ପୁସ୍ତକ ତ୍ରୁଟିଜନିତ ବିଷୟର କାରଣ ଅନୁସନ୍ଧାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲେ। ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ସଂସ୍କୃତି ବିଭାଗ ସଚିବ ବିଜୟ କେତନ ଉପାଧ୍ୟାୟ ଏବଂ ସାଧାରଣ ପ୍ରଶାସନ ବିଭାଗ ଉପ ସଚିବ ସ୍ମିତା ପାଣି ସଦସ୍ୟ ଥିଲେ । ଏହି କମିଟିର ରିପୋର୍ଟ ଅନୁଯାୟୀ ଏସସିଇଆରଟିର ପୂର୍ବତନ ନିର୍ଦ୍ଦେଶକ ସମେତ ୩ଜଣ ସହକାରୀ ନିର୍ଦ୍ଦେଶକଙ୍କୁ ନିଲମ୍ବିତ କରାଯାଇଥିଲା । ମନୋଜ ପାଢ଼ୀଙ୍କ ସମେତ ସହକାରୀ ନିର୍ଦ୍ଦେଶକ ପ୍ରଲିପ୍ତ ମିଶ୍ର, ଦିଲୀପ କୁମାର ସାହୁ ଏବଂ ଭାରତୀ ଟୁଡୁଙ୍କୁ ନିଲମ୍ବନ କରାଯାଇଛି। ଏହା ସହ ୬ ଜଣ ସହକାରୀ ନିର୍ଦ୍ଦେଶକଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।
ଗତ ୨୫ ତାରିଖରେ ମୁଖ୍ୟମନ୍ତ୍ରୀ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଏଥିରେ ଷଡ଼ଯନ୍ତ୍ରର ଗନ୍ଧ ବାରିଥିଲେ । ଏଥିରେ ସରକାରଙ୍କୁ ବଦନାମ କରିବାକୁ ଜାଣିଶୁଣି ତ୍ରୁଟି କରାଯାଇଥିବା ମୁଖ୍ୟମନ୍ତ୍ରୀ ଖୋଲାଖୋଲି କହିଥିଲେ ।