ଭୁବନେଶ୍ୱର: କେଜିରୁ ପିଜି ମାଗଣା ନାମ ଲେଖା ନେଇ ଲାଗି ରହିଥିବା ଦ୍ୱନ୍ଦ୍ୱକୁ ଦୂର କରିବାକୁ ଖୁବ ଶୀଘ୍ର ମାର୍ଗଦର୍ଶିକା ଆସିବ । ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ କଲେଜଗୁଡ଼ିକୁ ଏସଓପି ଜାରି କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ପ୍ରଦାନ କରିଛନ୍ତି ।
ଉଚ୍ଚ ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଘୋଷଣା ମୁତାବକ କେଜିରୁ ପିଜି ନାମଲେଖା ସମ୍ପୂର୍ଣ୍ଣ ମାଗଣା କରାଯିବ । ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ଏହି ବ୍ୟବସ୍ଥାକୁ ଲାଗୁ କରିବାକୁ ଯାଉଛନ୍ତି । ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ଏବଂ ଉଚ୍ଚ ଶିକ୍ଷା ବିଭାଗର ମିଳିତ ଆନୁକୂଲ୍ୟରେ ଏହା କରାଯିବ । ରାଜ୍ୟରେ ଯେତେ ଅନୁଦାନ ପ୍ରାପ୍ତ କଲେଜ ରହିଛନ୍ତି ସେମାନଙ୍କୁ ରାଜ୍ୟ ସରକାର ଆର୍ଥିକ ସହାୟତା ପ୍ରଦାନ କରିବେ । ସେହିପରି ୬୬୨ ଓ ୪୮୮ ବର୍ଗ କଲେଜଗୁଡିକୁ ବି ଅର୍ଥ ସରକାର ପକ୍ଷରୁ ଯୋଗାଇ ଦିଆଯିବ । ଯେଉଁ ଅର୍ଥ ପିଲା ଦେଉଥିଲେ ତାହା ସରକାର ବହନ କରିବେ । ଏ ନେଇ ସମସ୍ତ କଲେଜଗୁଡ଼ିକୁ ସ୍ୱତନ୍ତ୍ର ଏସଓପି ଦିଆଯିବ ।
ହାଇୟର ଏଜୁକେସନ୍ ମ୍ୟାନେଜମେଣ୍ଟ ସିଷ୍ଟମରେ କଲେଜ ଗୁଡ଼ିକ ନିଜ ଭିତ୍ତିଭୂମିର ତଥ୍ୟ ଦେଇଛନ୍ତି । ସେହି ଅନୁସାରେ ସରକାର ଅର୍ଥ ଦେଇ ଆସୁଥିବାବେଳେ ଆଗାମୀ ଦିନରେ ମଧ୍ୟ ସରକାର ବହନ କରିବେ । ଯେଉଁ କଲେଜ ଗୁଡ଼ିକରେ ଟଙ୍କା ବକେୟା ରହିଛି ସେମାନେ ମଧ୍ୟ ନିଜର ଭିତ୍ତିଭୂମିର ବିକାଶ ପାଇଁ କାମ କରିବେ ଯେଉଁଠାରେ ବଡ଼ ଖର୍ଚ୍ଚ ପଡ଼ିବ ସେଠି ବିଭାଗଠାରୁ ଅନୁମୋଦନ ନେଇ କାମ କରିପାରିବେ ।
ସେହିପରି ପିଲାଙ୍କ ଖର୍ଚ୍ଚ ସରକାର ଭରଣା କରିବେ । ଯେଉଁମାନେ ପୂର୍ବରୁ ନାମ ଲେଖାଇ ସାରିଛନ୍ତି ସେମାନଙ୍କୁ ତାଙ୍କର ଟଙ୍କା ଫେରସ୍ତ କରାଯିବ । ସେହିପରି ଯେଉଁମାନେ ରିଆଡମିଶନ ମଧ୍ୟ କରିଛନ୍ତି ସେମାନଙ୍କ ଟଙ୍କା ମଧ୍ୟ ଫେରସ୍ତ କରାଯିବ ବୋଲି କହିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ।