ବାଲେଶ୍ୱର ଜିଲ୍ଲାରେ ଘଟିଛି ଏକ ଚାଞ୍ଚଲ୍ୟକର ଏଟିଏମ୍ ଲୁଟ୍। ଏକଦମ ଫିଲ୍ମ ଷ୍ଟାଇଲରେ ଦୁର୍ବୃତ୍ତମାନେ ଥାର୍ ଗାଡ଼ିରେ ଆସି ଏଟିଏମ୍ ମେସିନ୍କୁ ଉପାଡ଼ି ଘୋଷାଡ଼ି ନେଇଥିବା ବେଳେ ଏହାର ସମ୍ପୂର୍ଣ୍ଣ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଘଟଣାଟି ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ତୁଡ଼ିଗଡ଼ିଆ ବଜାରରେ ଥିବା ଇଣ୍ଡିଆ-୧ ଏଟିଏମ୍ରେ ଘଟିଛି।
ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ବେଳେ ଏକ କଳା ରଙ୍ଗର ଥାର୍ ଗାଡ଼ିରେ ୫ରୁ ଅଧିକ ଦୁର୍ବୃତ୍ତ ଏଟିଏମ୍ ନିକଟରେ ପହଞ୍ଚିଥିଲେ। ପ୍ରଥମେ ସେମାନେ ଏଟିଏମ୍ ମେସିନ୍କୁ ତାଡ଼ି ବାହାର କରିଥିଲେ। ପରେ ଏକ ଦଉଡ଼ି ସାହାଯ୍ୟରେ ମେସିନ୍କୁ ଥାର୍ରେ ବାନ୍ଧି ରାସ୍ତାରେ ଘୋଷାଡ଼ି ଘୋଷାଡ଼ି ନେଇଯାଇଥିଲେ। ଏହି ରୋମାଞ୍ଚକର ଲୁଟ୍ର ସମ୍ପୂର୍ଣ୍ଣ ଦୃଶ୍ୟ ସିସିଟିଭିରେ କଏଦ ହୋଇଥିବାରୁ ତଦନ୍ତରେ ଏହା ଗୁରୁତ୍ୱପୂର୍ଣ୍ଣ ସୁରାକ ହୋଇପାରେ ବୋଲି ପୋଲିସ କହିଛି।
ତେବେ କିଛି ଦୂର ଯିବା ପରେ ଦୁର୍ବୃତ୍ତମାନେ ରାସ୍ତା ମଝିରେ ଏଟିଏମ୍ ମେସିନ୍କୁ ଫୋପାଡ଼ି ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ମେସିନ୍ରୁ ଟଙ୍କା ଲୁଟ୍ ହୋଇଛି କି ନାହିଁ ଏବଂ କେତେ ପରିମାଣର ଅର୍ଥ ଗାଏବ ହୋଇଛି, ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ।
ଘଟଣାର ଖବର ପାଇ ଖଇରା ପୋଲିସ ତୁରନ୍ତ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସିସିଟିଭି ଫୁଟେଜ୍କୁ ଆଧାର କରି ଦୁର୍ବୃତ୍ତମାନଙ୍କ ପରିଚୟ ଖୋଜିବା ସହ ସେମାନଙ୍କୁ ଧରିବା ପାଇଁ ବିଭିନ୍ନ ଦିଗରୁ ଛାନଭିନ୍ ଚାଲିଛି। ଏହି ସାହସିକ ଲୁଟ୍ ଘଟଣା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିବା ବେଳେ ଏଟିଏମ୍ ଓ ବ୍ୟାଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି।