ପୁରୀ: ୧୦୮ ଗରା ସୁବାଷିତ ଜଳରେ ସ୍ନାନ କରିବା ପରେ ଜ୍ୱରରେ ପୀଡ଼ିତ ହୋଇଥିବା ଶ୍ରୀଜୀଉ ଧିରେ ଧିରେ ସୁସ୍ଥ ହେଉଛନ୍ତି । ପ୍ରଥମେ ପଞ୍ଚମୀ ତିଥିରେ ଶ୍ରୀଅଙ୍ଗରେ ଫୁଲୁରୀ ତେଲ ଏବଂ ଷଷ୍ଠୀରୁ ଓଷ ଲାଗି ହେବା ପରେ ଜ୍ୱରରୁ ସାମାନ୍ୟ ଉପଶମ ମିଳିଛି । ଆଜି ଅଣସର ଏକାଦଶୀରେ ଦଶମୂଳ ମୋଦକ ଲାଗି ହେବା ପରେ ସମ୍ପୂର୍ଣ୍ଣ ସୁସ୍ଥ ହେବେ ଚତୁର୍ଦ୍ଧାମୂର୍ତ୍ତି ।
ବିଧି ମୁତାବକ, ଗତକାଲି ରାଜବୈଦ୍ୟଙ୍କ ଘରୁ ପ୍ରସ୍ତୁତ ଦଶମୂଳ ମୋଦକ ଶ୍ରୀମନ୍ଦିର ଗାରଦରେ ଦାଖଲ ହୋଇଥିବା ହୋଇଛି । ଖଳିଲାଗି ଏକାଦଶୀରେ ଠାକୁରମାନଙ୍କୁ ଖଳି ଲାଗି କରାଯିବ । ଦଇତା ଓ ପତିମହାପାତ୍ର ସେବାୟତ ତିନି ବାଡ଼ରେ ଶ୍ରୀଅଙ୍ଗରେ ଚନ୍ଦନ ଲେପନ କରିବେ । ଚନ୍ଦନରେ କର୍ପୂର , କେଶର ଓ ଆବଶ୍ୟକ ପରିମାଣର କସ୍ତୁରୀ ମିଶାଯାଇ ଶ୍ରୀବିଗ୍ରହମାନଙ୍କୁ ଲାଗି କରାଯିବ । ଏହା ମହାପ୍ରଭୁ ବାରଲାଗି ଖଣ୍ଡୁଆପାଟ ପରିଧାନ କରିବେ । ମହାପ୍ରଭୁଙ୍କଠାରେ ଧଳାଫୁଲ ବଦଳରେ ତୁଳସୀ ଲାଗି ହେବାପରେ ମହାପ୍ରଭୁଙ୍କୁ ଦଶମୂଳ ଲାଗି କରାଯିବ । ଏହାପରେ ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହେବେ ।
ସେପଟେ ମହାପ୍ରଭୁଙ୍କୁ ଜ୍ୱର ହୋଇଥିବାରୁ ଶ୍ରୀମନ୍ଦିରରେ୧୦ ଦିନ ଧରି ଘଣ୍ଟ ବାଜୁ ନାହିଁ । ଆଜି ଖଳି ଲାଗି ସମୟରେ ଘଣ୍ଟ ଓ କାହାଳୀ ବଜାଇ ଶ୍ରୀଜୀଉମାନେ ସୁସ୍ଥ ହେଉଥିବା ବାର୍ତ୍ତା ଭକ୍ତଙ୍କୁ ଜଣାଇବାର ପରମ୍ପରା ରହିଛି । ଆସନ୍ତାକାଲି ଦ୍ୱାଦଶୀ ତିଥିରେ ଆଦ୍ୟ ସେବକ ଗଜପତି ମହାରାଜଙ୍କୁ ଦଇତାପତି ସେବାୟତ ଶ୍ରୀଜୀଉଙ୍କ ସୁସ୍ଥତା ସୂଚନା ପ୍ରଦାନ କରିବେ ।