ଭୁବନେଶ୍ୱର: ଓଡ଼ିଶା କ୍ୟାଡରର ଆଉ ଜଣେ ନବାଗତ ଆଇପିଏସ୍ ଅଧିକାରୀ ଚାକିରୀରୁ ଇସ୍ତଫା ଦେଇଛନ୍ତି । ୨୦୨୫ ବ୍ୟାଚର ଆଇପିଏସ୍ ଅଫିସର ଚଉଧର ଅଭିଜିତ ରାମଦାସ ତାଲିମ ନେଉଥିବା ବେଳେ ଇସ୍ତଫା ଦେଇଛନ୍ତି ।
ମାତ୍ର ୩୩ ବର୍ଷିୟ ଅଭିଜିତ ରାମଦାସ ମହାରାଷ୍ଟ୍ରର ମୂଳ ବାସିନ୍ଦା ଅଟନ୍ତି । ସେ ଗତବର୍ଷ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ହାଇଦ୍ରାବାଦ ସ୍ଥିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ନ୍ୟାସନାଲ ପୋଲିସ ଏକାଡେମୀରେ ତାଲିମ ନେଉଥିଲେ । ଓଡ଼ିଶାରେ ତାଙ୍କୁ କୌଣସି ନିଯୁକ୍ତି ମିଳିନଥିଲା । ତାଲିମ ଶେଷ ହେବା ପରେ ସେ ନିଯୁକ୍ତି ପାଇଥାଆନ୍ତେ । କିନ୍ତୁ ଏହା ପୂର୍ବରୁ ସେ ବ୍ୟକ୍ତିଗତ କାରଣ ଦର୍ଶାଇ ଚାକିରୀ ସ୍ୱେଚ୍ଛାକୃତ ଅବସର ନେଇଥିବା କହିଛନ୍ତି । ସେ ଏନପିଏର ଡିଜିଙ୍କ ନିକଟକୁ ନିଜର ଇସ୍ତଫା ପତ୍ର ପଠାଇ ଦେଇଛନ୍ତି ।
ନିକଟରେ କମିଶନରେଟ ପୋଲିସର ଭୁବନେଶ୍ୱର ପୋଲିସ ଉପାୟୁକ୍ତ ଜଗମୋହନ ମୀନା ଚାକିରୀରୁ ଇସ୍ତଫା ଦେଇଛନ୍ତି । ସେ ମଧ୍ୟ ନିଜର ବ୍ୟକ୍ତିଗତ କାରଣ ଦର୍ଶାଇଛନ୍ତି । ଏହା ପୂର୍ବରୁ ସେ ଅନୁଗୁଳ ଏବଂ ଗଞ୍ଜାମ ଭଳି ଅପରାଧ ପ୍ରବଣ ଜିଲ୍ଲାରେ ଏସପି ଭାବେ ଦାୟିତ୍ୱ ତୁଲାଇଛନ୍ତି । ଏହା ସହିତ କଟକ ଡିସିପିଭାବେ ମଧ୍ୟ ସଫଳତାର ସହିତ କାମ କରିଥିଲେ । ଗତବର୍ଷ ଫେବୃଆରୀ ମାସରେ ସେ ଭୁବନେଶ୍ୱର ଡିସିପି ଭାବେ ନିଯୁକ୍ତି ପାଇଥିବାବେଳେ ମାତ୍ର ଦେଢ଼ ବର୍ଷରେ ଚାକିରୀ ଛାଡ଼ିଛନ୍ତି । ଯୁବ ଦକ୍ଷ ଆଇପିଏସ୍ ଅଧିକାରୀ କାହିଁକି ଏଭଳି ନିଷ୍ପତ୍ତି ନେଇଛନ୍ତି ତାହା ଏବେ ବଡ଼ ପ୍ରଶ୍ନ ।