ଅଯୋଧ୍ୟା: ଅଯୋଧ୍ୟା ଶ୍ରୀରାମ ମନ୍ଦିରକୁ ଆସୁଥିବା ନଗଦ ଦାନରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ମନ୍ଦିରର ଦାନ ବାକ୍ସରୁ ଏବେ ପୂର୍ବ ଭଳି ୫୦୦, ୨୦୦ କିମ୍ବା ୧୦୦ ଟଙ୍କିଆ ନୋଟ୍ର ବିଡ଼ା ଆଉ ସେତେ ଅଧିକ ମିଳୁନାହିଁ। ଏବେ ଟଙ୍କା ଗଣତି ସମୟରେ ୧୦, ୨୦ ଏବଂ ୫୦ ଟଙ୍କିଆ ନୋଟ୍ର ସଂଖ୍ୟା ସବୁଠାରୁ ଅଧିକ ରହୁଛି। ନିକଟରେ ଘଟିଥିବା ଘଟଣା ଯୋଗୁଁ ଶ୍ରଦ୍ଧାଳୁଙ୍କ ଦାନ କରିବା ଶୈଳୀରେ ଏଭଳି ବଡ଼ ପରିବର୍ତ୍ତନ ଆସିଛି। ଯଦିଓ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଶ୍ରଦ୍ଧାଳୁଙ୍କ ସଂଖ୍ୟା କିମ୍ବା ଦାନ ହ୍ରାସ ପାଇବା ନେଇ କୌଣସି ବୟାନ ଜାରି କରାଯାଇ ନାହିଁ, ତଥାପି ଏହି ଟ୍ରେଣ୍ଡକୁ ନେଇ ଚର୍ଚ୍ଚା ଜୋର ଧରିଛି।
ଚୋରି ବିବାଦ ପରେ କ୍ଷୁବ୍ଧ ଶ୍ରଦ୍ଧାଳୁ !
କିଛି ଦିନ ତଳେ ଅଯୋଧ୍ୟା ରାମ ମନ୍ଦିରର କିଛି କର୍ମଚାରୀଙ୍କ ଦ୍ୱାରା ଦାନ ଟଙ୍କା ଚୋରି ହେବା ଘଟଣା ସାମ୍ନାକୁ ଆସିଥିଲା, ଯାହା ସମଗ୍ର ଦେଶର ଭକ୍ତଙ୍କୁ ଗଭୀର ଆଘାତ ଦେଇଛି। ମନ୍ଦିର ହେଉଛି ପବିତ୍ରତାର ପ୍ରତୀକ ଏବଂ ସେଠାରେ ଦିଆଯାଉଥିବା ଦାନ କେବଳ ପଇସା ନୁହେଁ, ବରଂ ଭଗବାନ ଓ ଭକ୍ତଙ୍କ ମଧ୍ୟରେ ଥିବା ଆସ୍ଥାର ସେତୁ। ୫୦୦ ବର୍ଷର ଦୀର୍ଘ ସଂଘର୍ଷ ପରେ ଜାନୁଆରୀ ୨୦୨୪ରେ ପ୍ରାଣ ପ୍ରତିଷ୍ଠା ହୋଇଥିବା ଏହି ଭବ୍ୟ ମନ୍ଦିରରେ ଚୋରି ଖବର ପ୍ରକାଶ ପାଇବା ପରେ ଲୋକଙ୍କ ମନରେ ଏକ ପ୍ରକାର ଅସନ୍ତୋଷ ସୃଷ୍ଟି ହୋଇଛି।
ଭାଙ୍ଗିଲା କି ଜନସାଧାରଣଙ୍କ ଭରସା ?
ଏହି ଅସନ୍ତୋଷର ଅନ୍ୟ ଏକ ବଡ଼ କାରଣ ହେଉଛି ମନ୍ଦିର ପରିଚାଳନା। ସଂଘ ପରିବାର (RSS) ସହ ଜଡ଼ିତ ସଦସ୍ୟମାନେ ଏହି ମନ୍ଦିରର ବ୍ୟବସ୍ଥା ଦେଖୁଛନ୍ତି, ଯେଉଁମାନଙ୍କର ସ୍ୱଚ୍ଛତା ଓ ଅନୁଶାସନ ଉପରେ ଦେଶବାସୀଙ୍କର ଅନ୍ଧବିଶ୍ୱାସ ରହିଥିଲା। ଏହି ବିଶ୍ୱାସ ଯୋଗୁଁ ହିଁ କୋଟି କୋଟି ଟଙ୍କାର ନଗଦ ଓ ସୁନା-ରୂପା ଦାନ ଆକାରରେ ଆସୁଥିଲା। ଏବେ ସେହି ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠିବା ପରେ ଭକ୍ତମାନେ ବଡ଼ ଅଙ୍କର ନଗଦ ଟଙ୍କା ଦେବାକୁ କୁଣ୍ଠାବୋଧ କରୁଥିବା ଆଲୋଚନା ହେଉଛି।
Also Read: ଇସ୍କନ ବିରୋଧରେ ବଡ଼ ପଦକ୍ଷେପ; ୨୭ରେ ଦିଲ୍ଲୀ ଯିବ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ, କେନ୍ଦ୍ରର ହସ୍ତକ୍ଷେପ ଲୋଡ଼ିଲେ ଗଜପତି