ପୁରୀ: ବିଦେଶରେ ଇସ୍କନ ପକ୍ଷରୁ ବର୍ଷ ତମାମ ଆୟୋଜନ କରାଯାଉଥିବା ‘ଅଦିନିଆ ରଥଯାତ୍ରା’କୁ ନେଇ ବିବାଦ ଦିନକୁ ଦିନ ଗଭୀର ହେବାରେ ଲାଗିଛି। ଶ୍ରୀଜଗନ୍ନାଥଙ୍କ ପରମ୍ପରା ଓ ରୀତିନୀତି ବିରୋଧୀ ବୋଲି ଦାବି କରି ଶ୍ରୀମନ୍ଦିର ପରିଚାଳନା କମିଟି ଏବଂ ଓଡ଼ିଶା ସରକାର ଏବେ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ରଥଯାତ୍ରାର ସମସ୍ତ ନୀତିକାନ୍ତି ଶେଷ ହେବା ପରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ନୂଆଦିଲ୍ଲୀ ଗସ୍ତ କରିବ ବୋଲି ପୁରୀ ଗଜପତି ମହାରାଜା ତଥା ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଦିବ୍ୟସିଂହ ଦେବ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ଚଳିତ ମାସର ୭ ତାରିଖରେ ଇସ୍କନର ଗଭର୍ଣ୍ଣିଂ ବଡି କମିଶନ (GBC) ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ଏକ ଚିଠି ପଠାଯାଇଥିଲା। ଏଥିରେ ଭାରତ ବାହାରେ ବର୍ଷର ଯେକୌଣସି ସମୟରେ ରଥଯାତ୍ରା ଆୟୋଜନ କରିବା ନିଷ୍ପତ୍ତିରେ ସେମାନେ ଅଟଳ ଥିବା ସ୍ପଷ୍ଟ କରାଯାଇଛି। ଏହି ପ୍ରସଙ୍ଗରେ ଆଉ କୌଣସି ଆଲୋଚନାର ଆବଶ୍ୟକତା ନାହିଁ ବୋଲି ମଧ୍ୟ ଇସ୍କନ ପକ୍ଷରୁ କୁହାଯାଇଛି।
ଏହି ଆଭିମୁଖ୍ୟକୁ ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରା ପ୍ରତି ଅସମ୍ମାନ ବୋଲି ମନେ କରୁଛି ଶ୍ରୀମନ୍ଦିର ପ୍ରଶାସନ। ଗଜପତି ମହାରାଜା କହିଛନ୍ତି ଯେ, ଏହି ପ୍ରସଙ୍ଗରେ ପୂର୍ବରୁ ମଧ୍ୟ ଏକାଧିକ ପଦକ୍ଷେପ ନିଆଯାଇଛି। ୨୦୨୫ ଅକ୍ଟୋବରରେ ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରା ଜାରି ରଖିବା ନିଷ୍ପତ୍ତି ପରେ ସେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ପରେ ୨୦୨୬ ଏପ୍ରିଲରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରି ଏହି ବିବାଦରେ ହସ୍ତକ୍ଷେପ ପାଇଁ ଦାବିପତ୍ର ମଧ୍ୟ ପ୍ରଦାନ କରିଥିଲେ।
ତେବେ ଇସ୍କନ ନିଜ ନିଷ୍ପତ୍ତିରେ ପରିବର୍ତ୍ତନ ନ ଆଣିବାରୁ ଏବେ ଏହି ପ୍ରସଙ୍ଗ ଆହୁରି ଗୁରୁତର ହୋଇପଡ଼ିଛି। ଏହାକୁ ନେଇ ରଥଯାତ୍ରା ଶେଷ ହେବା ପରେ ରାଜ୍ୟ ସରକାରଙ୍କ ପରାମର୍ଶ କ୍ରମେ ଏକ ସ୍ୱତନ୍ତ୍ର ପ୍ରତିନିଧି ଦଳ ଦିଲ୍ଲୀ ଯିବେ। ସେଠାରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ସମ୍ପୃକ୍ତ କେନ୍ଦ୍ର ମନ୍ତ୍ରୀମାନଙ୍କୁ ଭେଟି ଜଗନ୍ନାଥ ପରମ୍ପରାର ସୁରକ୍ଷା ଓ ବିବାଦର ସମାଧାନ ପାଇଁ କେନ୍ଦ୍ରର ସିଧାସଳଖ ହସ୍ତକ୍ଷେପ ଦାବି କରାଯିବ। ଏହି ପଦକ୍ଷେପ ଆଗାମୀ ଦିନରେ ଇସ୍କନ-ଶ୍ରୀମନ୍ଦିର ବିବାଦକୁ ନୂଆ ମୋଡ଼ ଦେଇପାରେ।