ଭୁବନେଶ୍ୱର: ସରକାରଙ୍କୁ ସମାଲୋଚନା କରିବାକୁ ବିଜେଡ଼ି ସବୁ ସୀମା ଟପିଯାଉଛି । ରାଜନୈତିକ ଆନ୍ଦୋଳନରେ ଛୋଟ ଛୋଟ ଛାତ୍ରଛାତ୍ରୀଙ୍କୁ କରାଯାଉଛି ମୋହରା । ଯେଉଁ ବୟସରେ ପିଲା ପାଠ ପଢ଼ିବା କଥା ସେହି ବୟସରେ ପିଲାଙ୍କୁ ଆଣି ନିଜ ଆନ୍ଦୋଳନରେ ସାମିଲ କରି ତାଙ୍କ ଭବିଷ୍ୟତକୁ ବିପଦରେ ପକାଉଛନ୍ତି । ବିଜୁ ଛାତ୍ର ସଂଗଠନ ସଭାନେତ୍ରୀ ଈପ୍ସିତା ସାହୁ ଏବଂ ପୂର୍ବତନ ବିଧାୟିକା ଦୀପାଳି ଦାସଙ୍କ ବିରୁଦ୍ଧରେ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ଦେଇଛି ବିଜେପି । ଅନ୍ୟପକ୍ଷେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ବିଜେଡ଼ି ସୁପ୍ରିମୋଙ୍କ ସମେତ 7 ଜଣଙ୍କୁ ନୋଟିସ୍ ଜାରି କରିଛନ୍ତି ।
ନିକଟରେ ବିଜେଡ଼ି ପକ୍ଷରୁ ପାଠ୍ୟ ପୁସ୍ତକ ତ୍ରୁଟି ନେଇ ଶିକ୍ଷା ବଞ୍ଚାଅ ଆନ୍ଦୋଳନ କରାଯାଇଥିଲା । ଝାରସୁଗୁଡ଼ା ଆନ୍ଦୋଳନରେ ବିଜେଡ଼ି ଛାତ୍ର ନେତ୍ରୀ ଇପ୍ସିତା ସାହୁ ଏବଂ ଦୀପାଳୀ ଦାସ ମଧ୍ୟ ଯୋଗ ଦେଇଥିଲେ । ଏହି ଆନ୍ଦୋଳନରେ କିଛି ନାବାଳିକା ସ୍କୁଲ ଛାତ୍ରୀଙ୍କୁ ୟୁନିଫର୍ମରେ ଦେଖିବାକୁ ମିଳିଥିଲା । ସେମାନଙ୍କୁ ଧରି ବିଜେଡ଼ି ନେତ୍ରୀମାନେ ନିମ୍ବୁଡ଼ା ଗୀତରେ ନାଚୁଥିଲେ । ରାଜନୈତିକ ଆନ୍ଦୋଳନରେ ସ୍କୁଲ ପୋଷାକ ପିନ୍ଧିଥିବା ନାବାଳିକା ଛାତ୍ରୀଙ୍କୁ ସାମିଲ କରାଯିବାକୁ ନେଇ ବିଜେପି ପକ୍ଷରୁ ଗଭୀର ଉଦବେଗ ପ୍ରକାଶ ପାଇଛି । ଏହି ଘଟଣାରେ ପୂର୍ବତନ ବିଧାୟିକା ଦୀପାଳି ଦାସ ଓ ଈପ୍ସିତା ସାହୁଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନେବାକୁ ଭାରତୀୟ ଜନତା ପାର୍ଟି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛି । ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ନିର୍ଦ୍ଦେଶାବଳୀ ଅନୁସାରେ କୌଣସି ରାଜନୈତିକ ଦଳ ନିଜ ଆନ୍ଦୋଳନ କିମ୍ବା ଶୋଭାଯାତ୍ରାରେ ଶିଶୁମାନଙ୍କୁ ବ୍ୟବହାର କରିପାରିବେ ନାହିଁ। ତେଣୁ ସମଗ୍ର ଘଟଣାର ସ୍ୱତଃପ୍ରବୃତ୍ତ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ବିଜେପି ଦାବି କରିଛି ।
ସେପଟେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ତରଫରୁ ବିଜେଡି ନେତାଙ୍କୁ ନୋଟିସ ଜାରି ହୋଇଛି । ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ, ପୂର୍ବତନ ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି, ଦୀପାଳି ଦାସ, ବିଜେଡି ଛାତ୍ର ସଂଗଠନ ସଭାନେତ୍ରୀ ଈପ୍ସିତା ସାହୁ, ଝାରସୁଗୁଡ଼ା ଜିଲ୍ଲାପାଳ, ଏସପି ଏବଂ ଜିଲ୍ଲା ଶିଶୁ କଲ୍ୟାଣ କମିଟି ଅଧ୍ୟକ୍ଷଙ୍କୁ ନୋଟିସ୍ ଜାରି ହୋଇଛି । ଆଗାମୀ ୭ ଦିନ ଭିତରେ ସେମାନଙ୍କ ବିରୁଦ୍ଧରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ତାହାର ରିପୋର୍ଟ ଦାଖଲ କରିବାକୁ ଜିଲ୍ଲାପାଳ ଓ ଏସ୍ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ୟୁନିଫର୍ମ ପିନ୍ଧି ସ୍କୁଲ୍ ପିଲା ଆସିବା ଏକ ଅପରାଧ ଏବଂ ଏଥିପାଇଁ ସମ୍ପୃକ୍ତ ସ୍କୁଲ୍ର ପ୍ରଧାନ ଶିକ୍ଷକ ମଧ୍ୟ ଉତ୍ତର ଦାୟୀ ବୋଲି କହିଛନ୍ତି ଶିଶୁ ସୁରକ୍ଷା ଆୟୋଗ ।