ଭୁବନେଶ୍ୱର: ବିଜେଡ଼ିରୁ ନିଲମ୍ବିତ କଟକ-ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳଙ୍କୁ ଆଜି ହଠାତ୍ ଭାରତୀୟ ଜନତା ପାର୍ଟୀର ରାଜ୍ୟ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି । ଶନିବାର ପୂର୍ବାହ୍ନ ସମୟରେ ସୌଭିକ ବିଶ୍ୱାଳ ଭୁବନେଶ୍ୱର ବିଜେପି କାର୍ଯ୍ୟାଳୟକୁ ଯାଇଛନ୍ତି ।
ଏହାର କିଛି ସମୟରେ ପରେ ସାଂସଦ ତଥା ସଭାପତି ମନମୋହନ ସାମଲ ମଧ୍ୟ କାର୍ଯ୍ୟାଳୟରେ ପହଁଚିଥିଲେ । ମନମୋହନ କାର୍ଯ୍ୟାଳୟରେ କିଛି ସମୟ ରହିବା ପରେ ପୁଣି ବାହାରି ଆସିଥିଲେ । ସୌଭିକଙ୍କ ବାପା ପ୍ରଭାତ ବିଶ୍ୱାଳଙ୍କ ବିଜେପି ଯୋଗଦାନ ଚର୍ଚ୍ଚାକୁ ଏହି ସୂଚନା ଆହୁରି ଖୋରାକ ଯୋଗାଇଛି । ଗତ କିଛି ଦିନ ହେବ ବିଜେଡ଼ିର ପୂର୍ବତନ ନେତା ପ୍ରଭାତ ବିଜେପିରେ ସାମିଲ ହେବେ ବୋଲି ଆଲୋଚନା ଚାଲିଛି । ଏମିତିକି ସେ ଆସନ୍ତାକାଲି ପଦ୍ମ ଧରିପାରନ୍ତି ବୋଲି କୁହାଯାଉଛି । ସେପଟେ ହଠାତ୍ ସୌଭିକ ବିଜେପି କାର୍ଯ୍ୟାଳୟକୁ ଆସିବା ଉକ୍ତ ଚର୍ଚ୍ଚାକୁ ତୀବ୍ର କରିଦେଇଛି । ପୁଅ ସୌଭିକ ବାପାଙ୍କ ପାଇଁ ଆଲୋଚନା କରିବାକୁ ଆସିଥିବା କୁହାଯାଉଛି । ତେବେ ସୌଭିକ କଣ ଆଲୋଚନା କରିଛନ୍ତି ସେ ନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ ।