ଝାରସୁଗୁଡ଼ା ଜିଲ୍ଲା ବିଜେଡିରେ ପୁଣିଥରେ ଗୋଷ୍ଠୀ କନ୍ଦଳକୁ ନେଇ ଚର୍ଚ୍ଚା ଜୋର ଧରିଛି। ଦଳୀୟ ପ୍ରତିବାଦ କାର୍ଯ୍ୟକ୍ରମ ପରେ ସ୍ୱର୍ଗତ କିଶୋର ମହାନ୍ତିଙ୍କୁ ନେଇ ହୋଇଥିବା ଟିପ୍ପଣୀ ଓ ସୋସିଆଲ ମିଡିଆରେ ଆସିଥିବା ପ୍ରତିକ୍ରିୟା ଜିଲ୍ଲା ରାଜନୀତିକୁ ସରଗରମ କରିଦେଇଛି।
ଗତକାଲି ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡି ପକ୍ଷରୁ ଏକ ପ୍ରତିବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ଶେଷ ହେବା ପରେ ସ୍ୱର୍ଗତ କିଶୋର ମହାନ୍ତିଙ୍କ ପୁଅ ପୁରୁଷୋତ୍ତମ ମହାନ୍ତି ସାମାଜିକ ଗଣମାଧ୍ୟମରେ କ୍ଷୋଭ ପ୍ରକାଶ କରି ଲେଖିଥିଲେ ଯେ, କିଶୋର ମହାନ୍ତିଙ୍କ ଅବଦାନକୁ ଦଳ ପକ୍ଷରୁ ଯଥାର୍ଥ ସମ୍ମାନ ଦିଆଯାଇନାହିଁ। ଯଦିଓ ପରବର୍ତ୍ତୀ ସମୟରେ ସେ ଏହି ପୋଷ୍ଟକୁ ହଟାଇ ଦେଇଥିଲେ, ତଥାପି ଏହାକୁ ନେଇ ଚର୍ଚ୍ଚା ଥମିନାହିଁ।
ଅନ୍ୟପକ୍ଷରେ, ପ୍ରତିବାଦ ସଭାରେ ଛାତ୍ର ବିଜେଡି ରାଜ୍ୟ ସଭାନେତ୍ରୀ ଈପ୍ସିତା ସାହୁ ତାଙ୍କ ଭାଷଣରେ ସ୍ୱର୍ଗତ ନବ ଦାସଙ୍କୁ ‘ବିକାଶ ପୁରୁଷ’ ବୋଲି ସମ୍ବୋଧନ କରିଥିବା ବେଳେ, ସ୍ୱର୍ଗତ କିଶୋର ମହାନ୍ତିଙ୍କୁ କେବଳ ବରିଷ୍ଠ ନେତୃତ୍ୱ ଭାବେ ଉଲ୍ଲେଖ କରିଥିଲେ। ଏହାକୁ ନେଇ କିଶୋର ମହାନ୍ତିଙ୍କ ସମର୍ଥକ ଓ ପରିବାର ସଦସ୍ୟଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିବା ଚର୍ଚ୍ଚା ହେଉଛି।
ଏହାସହ ପୂର୍ବତନ ବିଧାୟିକା ଅଳକା ମହାନ୍ତିଙ୍କୁ ନେଇ ଭାଇରାଲ ହୋଇଥିବା ଏକ ଭିଡିଓ ମଧ୍ୟ ଚର୍ଚ୍ଚାକୁ ଆହୁରି ଜୋରଦାର କରିଛି। ଏହି ସମସ୍ତ ଘଟଣା ପରେ ଝାରସୁଗୁଡ଼ା ବିଜେଡିରେ ଅନ୍ତର୍ଦ୍ୱନ୍ଦ୍ୱ ପୁଣିଥରେ ପଦାକୁ ଆସିଥିବା ଆଲୋଚନା ହେଉଛି। ତେବେ ଉଠିଥିବା ଅଭିଯୋଗ ସମ୍ପର୍କରେ ସମ୍ପୃକ୍ତ ନେତୃତ୍ୱଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଔପଚାରିକ ପ୍ରତିକ୍ରିୟା ଆସିନାହିଁ।