ପୁରୀ: ପୋଲିସ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ ଆଜି ପୁଣି ଥରେ ରଥଯାତ୍ରା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ଚଳିତ ବର୍ଷ ବିସ୍ତୃତ ଭାବେ ସୁରକ୍ଷା ପ୍ରସ୍ତୁତି କରାଯାଇଛି । ସୁରକ୍ଷାରେ ଓଡ଼ିଶା ପୋଲିସ, କେନ୍ଦ୍ରୀୟ ସୁରକ୍ଷା ବଳ, ନୌସେନା ବିଭାଗ ସୁରକ୍ଷାରେ ନିୟୋଜିତ ହୋଇଛନ୍ତି ।
ଡିଜିପି ସମୀକ୍ଷା ବୈଠକ ପରେ ସୂଚନା ଦେଇଛନ୍ତି ଯେ ଗତ ଜାନୁଆରୀ ମାସରୁ ରଥଯାତ୍ରା ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥର ୧୩ ହଜାର ପୋଲିସ ଅଧିକାରୀ, କର୍ମଚାରୀ ଓ ହୋମଗାର୍ଡ ମୁତୟନ ହେବେ । ସେହିପରି ୧୫ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ଯଥା ସିଆରପିଏଫ୍, ବିଏସଏଫ୍ ଓ ଆରଏଏଫ୍ ପ୍ରମୁଖ ନିୟୋଜିତ ହେବେ । ଏହା ସହିତ ତଟରକ୍ଷା ବାହିନୀ ଏବଂ ନୌସେନା ବାହିନୀ ଉପକୂଳରେ ସଜାଗ ରହିବେ । ରେଳ ବିଭାଗର ମଧ୍ୟ ସହାୟତା ନିଆଯାଇଛି । ସେହିପରି ଭିଡ଼ି ନିୟନ୍ତ୍ରଣ, ଟ୍ରାଫିକ୍ ପରିଚାଳନା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଚଳିତ ବର୍ଷ ମହାପ୍ରଭୁଙ୍କ କୃପାରୁ ରଥଯାତ୍ରାରେ ବହୁତ ଭଲରେ ପାଳିତ ହେବା ନେଇ ଡିଜିପି ଆଶାବ୍ୟକ୍ତ କରିଛନ୍ତି ।
ଆଜିର ସମୀକ୍ଷା ବୈଠକରେ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ, ପୁରୀ ଏସପି ପ୍ରତୀକ ସିଂହ ପ୍ରମୁଖ ରଥଯାତ୍ରା ସୁରକ୍ଷା ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଏଥିରେ ରଥଯାତ୍ରା ସୁରକ୍ଷା ବ୍ୟବସ୍ଥା ତଦାରଖ ପାଇଁ ନିଯୁକ୍ତ ୧୯ ଜଣ ବରିଷ୍ଠ ଆଇପିଏସ ଅଧିକାରୀ ମଧ୍ୟ ଯୋଗ ଦେଇଥିଲେ ।
ତେବେ ଗତକାଲି ମୁଖ୍ୟମନ୍ତ୍ରୀ ସମୀକ୍ଷା କରି ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବାକୁ ଗୁରୁତ୍ୱ ଦେଇଥିଲେ । ବୈଠକରୁ ଜଣାଯାଇଛି ଯେ ବସଷ୍ଟାଣ୍ଡ, ବେଳାଭୂମିଠାରୁ ଆରମ୍ଭ କରି ଶ୍ରୀମନ୍ଦିର ଯାଏ ୪୭୩ ସିସିଟିଭି କ୍ୟାମେରା ଜରିଆରେ ସମ୍ପୂର୍ଣ୍ଣ ପୁରୀ ସହର ଉପରେ କଡ଼ା ନଜର ରଖାଯାଇଛି । ଜରୁରୀ ସୂଚନା ପାଇଁ ୬୫ଟି ବଡ ଏଲଇଡି ସ୍କ୍ରିନ, ମୋବାଇଲ ନେଟୱାର୍କ ପାଇଁ ୧୬ଟି ସ୍ଥାୟୀ ଓ ଅନେକ ଅସ୍ଥାୟୀ ଟାୱାରର ବ୍ୟବସ୍ଥା କରାଯାଇଛି। ରଥଯାତ୍ରା ପାଇଁ ସ୍ୱତନ୍ତ୍ର ଭାବେ ୧୭୦୦ଟି ବାୟୋ-ଟଏଲେଟର ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ୫ଟି ଟଏଲେଟକୁ ପରିସ୍କାର ପରିଚ୍ଛନ୍ନ କରିବା ପାଇଁ ଜଣେ ଜଣେ ସ୍ୱେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଛି। ସେହିପରି ତୁରନ୍ତ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ୮ଟି ଅସ୍ଥାୟୀ ହସ୍ପିଟାଲ ମଧ୍ୟ କରାଯାଇଛି। ପୁରୀକୁ ପ୍ରାୟ ୩୦୦ରୁ ଅଧିକ ଟ୍ରେନ ଚଳାଚଳ କରିବ।