ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ନିଖୋଜ ଥିବା ସପ୍ତମ ଶ୍ରେଣୀ ଛାତ୍ରଙ୍କ ମୃତ ଦେହ ଉଦ୍ଧାର ହୋଇଛି । ରେଙ୍ଗାଳି ବାମ ପାର୍ଶ୍ୱ କେନାଲର କାନପୁରା ଗାଁ ନିକଟରୁ ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଛାତ୍ର ହେଲେ ବିଷ୍ଣୁ ପ୍ରସାଦ ବରାଳ ।
ବିଷ୍ଣୁ ଗତକାଲି ସକାଳ ଠାରୁ ନିଖୋଜ ଥିଲେ । ମାଆ ଟ୍ୟୁସନ ଯିବାକୁ ପୁଅକୁ ଡାକି ଉଠାଇଥିଲେ । ଦାନ୍ତ ଘଷୁଥିବାବେଳେ ସେ କେଉଁଆଡ଼େ ଚାଲିଯାଇଥିଲେ । ବହୁତ ଖୋଜା ଖୋଜି କରିବା ପରେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳିନଥିଲା । ଆଜି ଜଣଙ୍କ ମୃତ ଦେହ କେନାଲରେ ଭାସୁଥିବା ଦେଖି ସ୍ଥାନୀୟ ଲୋକମାନେ କାମାକ୍ଷାନଗର ପୋଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି କରିଥିଲା । ଏହାପରେ ବିଷ୍ଣୁଙ୍କ ପରିବାର ଲୋକ ତାଙ୍କୁ ଚିହ୍ନଟ କରିଥିଲେ ।
ବିଷ୍ଣୁଙ୍କ ମାଆଙ୍କ କହିବା ଅନୁସାରେ, ଗତ କିଛି ଦିନ ତଳେ ବିଦ୍ୟାଳୟରେ ପ୍ରାର୍ଥନା କ୍ଲାସ ଚାଲିଥିବା ବେଳେ ପିଲାଙ୍କ ମଧ୍ୟରେ ବସିବାକୁ ନେଇ ଗୁରୁଜୀ ବିଷ୍ଣୁଙ୍କୁ ତାଗିଦ କରି ଠିଆ ହେବାକୁ କହିଥିଲେ। ମାତ୍ର ବିଷ୍ଣୁ ପ୍ରସାଦ ଗୁରୁଜୀଙ୍କ କଥା ମାନି ନଥିଲେ। ଯାହାକୁ ନେଇ ଶିଶୁ ମନ୍ଦିର ପକ୍ଷରୁ ଅଭିଭାବକଙ୍କୁ ଶୁକ୍ରବାର ରାତିରେ ଫୋନ୍ କରି ଅବଗତ କରାଯାଇଥିଲା। ଏ ନେଇ ବିଷ୍ଣୁ ପ୍ରସାଦଙ୍କ ମାଆ ମଧ୍ୟ ଗୁରୁଜୀଙ୍କୁ ଭୁଲ ମାଗିବାକୁ ପୁଅକୁ କହିଥିଲେ। ମାତ୍ର ବିଷ୍ଣୁ ପ୍ରସାଦ କହିଥିଲେ, “ମୁଁ ଭୁଲ କରିନାହିଁ କି ଭୁଲ ମାଗିବି ନାହିଁ”। ଯେଉଁଥିପାଇଁ ସେ ଏଭଳି ପଦକ୍ଷେପ ନେଇଥିବା କୁହାଯାଇଛି ।
ବିଷ୍ଣୁଙ୍କ ମାଆ ପୁଅର ମୃତ୍ୟୁ ପାଇଁ କାହାକୁ ଦାୟୀ କରିନାହାଁନ୍ତି । ଏଥିରେ ଗୁରୁଜୀଙ୍କର କୌଣସି ଭୁଲ ନ ଥିବା ସେ କହିଛନ୍ତି । ଗୁରୁଜୀ କେବଳ ତାଗିଦ କରିଥିଲେ । ତା ପରେ ବି ସ୍କୁଲ ଯାଉଥିଲା । କିନ୍ତୁ ଶୁକ୍ରବାର ରାତିରେ ଫୋନ ଆସିବା ପରେ ସେ ଚୁପଚାପ ହୋଇଯାଇଥିଲା । ସେ ବହୁତ ସରଳ ପିଲା । ସେଥିପାଇଁ ସେ ଏକଥା ସହିପାରିଲାନି ବୋଲି କହିଛନ୍ତି । ମାତ୍ର ଏଥିରେ ଗୁରୁଜୀଙ୍କର କୌଣସି ଦୋଷ ନାହିଁ ବୋଲି ତାଙ୍କ ମାଆ କହିଛନ୍ତି ।
ପୋଲିସ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ ।