ବାଲିଗୁଡାରେ CRPF ଯବାନ ଅଶୋକ ବେହେରାଙ୍କ ମୃତ୍ୟୁ ଘଟଣାରେ ଆସିଛି ବଡ଼ ମୋଡ଼। ଘଟଣାର କିଛି ଦିନ ପରେ ମୃତ ଯବାନଙ୍କ ପତ୍ନୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବାଲିଗୁଡା ପୋଲିସ। ତଦନ୍ତ ବେଳେ ସାମ୍ନାକୁ ଆସିଥିବା ପ୍ରମାଣ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।
ଗାୟତ୍ରୀ କଲୋନୀର ବାସିନ୍ଦା ତଥା CRPF ଯବାନ ଅଶୋକ ବେହେରା ଗତ ୬ ତାରିଖରେ ନିଜ ଘରେ କବାଟ ବନ୍ଦ କରି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ବାଲିଗୁଡା ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ଅଶୋକଙ୍କ ମୃତ୍ୟୁ ଘଟିଥିଲା।
ଏହି ଘଟଣା ପରେ ଅଶୋକଙ୍କ ମାଆ ବାଲିଗୁଡା ଥାନାରେ ଲିଖିତ ଅଭିଯୋଗ କରି କହିଥିଲେ ଯେ, ତାଙ୍କ ପୁଅଙ୍କ ପତ୍ନୀ ଓ ତାଙ୍କର ପୁରୁଷ ବନ୍ଧୁ ଆଶିଷ ପାଇକରାୟ ମିଶି ଦୀର୍ଘଦିନ ଧରି ଅଶୋକଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ଆସୁଥିଲେ। ଏହି ନିର୍ଯାତନା ହିଁ ଅଶୋକଙ୍କୁ ଚରମ ପଦକ୍ଷେପ ନେବାକୁ ବାଧ୍ୟ କରିଥିବା ଅଭିଯୋଗରେ ଦର୍ଶାଯାଇଥିଲା।
ପରିବାର ଲୋକଙ୍କ କହିବା ଅନୁସାରେ, ପତ୍ନୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କ ସମ୍ପର୍କ ବିଷୟରେ ଜାଣିବା ପରଠାରୁ ଅଶୋକ ଗଭୀର ମାନସିକ ଚାପରେ ରହୁଥିଲେ। ଏପରିକି ସେ ପତ୍ନୀଙ୍କୁ ଛାଡ଼ପତ୍ର ଦେବା ପାଇଁ ବାଲିଗୁଡା କୋର୍ଟରେ ଆବେଦନ ମଧ୍ୟ କରିଥିଲେ। ଗତ କିଛି ମାସ ହେବ ସ୍ୱାମୀ-ସ୍ତ୍ରୀ ଅଲଗା ରହୁଥିବା ମଧ୍ୟ ଜଣାପଡ଼ିଛି।
ମାମଲାର ତଦନ୍ତ ସମୟରେ ପୋଲିସ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ପାଇବା ପରେ ଅଶୋକଙ୍କ ପତ୍ନୀଙ୍କୁ ଗିରଫ କରିଛି। ଅନ୍ୟପଟେ, ଘଟଣାରେ ଅଭିଯୁକ୍ତ ଭାବେ ଉଲ୍ଲେଖ ହୋଇଥିବା ପୁରୁଷ ବନ୍ଧୁଙ୍କ ଭୂମିକାକୁ ନେଇ ମଧ୍ୟ ପୋଲିସ ତଦନ୍ତ ଜାରି ରଖିଛି। ଏହି ଘଟଣା ବାଲିଗୁଡା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।