ଗଞ୍ଜାମ: ବ୍ରହ୍ମପୁରରେ ମହିଳା ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିବା ଘଟଣାରେ ପାପୀ ବାପା ଗିରଫ । ନିଜ ଝିଅ ଜନ୍ମିତ ଝିଅକୁ ଯୌନ ନିର୍ଯ୍ୟାତନା ଦେବା ସହିତ ଝିଅର ସହିତ ଶାରୀରିକ ସମ୍ପର୍କ ରଖି ଗର୍ଭବତୀ କରାଇବା ମାମଲାରେ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ବ୍ରହ୍ମପୁର ଅତିରିକ୍ତ ଏସପି ଆଲୋକ ଜେନା ସୂଚନା ଦେଇଛନ୍ତି ।
ଗତ ୭ ତାରିଖରେ ଲୋଚାପଡ଼ା ବାସୁଦେବପୁର ମହିଳା ଜଣକ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହୁତି ଦେବାକୁ ଉଦ୍ୟମ କରିଥିଲେ । ପ୍ରଥମେ ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ହସ୍ପିଟାଲ ଏବଂ ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ତାଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ସମସ୍ତଙ୍କ ଆଚମ୍ବିତ କରିଥିଲା । ନିଜ ଜନ୍ମ କଲା ବାପାଙ୍କ ଯୌନ ନିର୍ଯ୍ୟାତନାରେ ସେ ଅତିଷ୍ଠ ହୋଇ ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି ।
ଯୁବତୀ ଭିଡିଓରେ ଦାବି କରିଛନ୍ତି ଯେ ତାଙ୍କ ବାପା ତାଙ୍କ ସହ ଅନୈତିକ ସମ୍ପର୍କ ରଖି ତାଙ୍କୁ ତିନି ମାସର ଗର୍ଭବତୀ କରିଥିଲେ। ଟଙ୍କା ପାଇଁ ଅନ୍ୟ ପୁରୁଷଙ୍କ ସହିତ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ । ଏମିତିକି ବାରମ୍ବାର ଅଶ୍ଳୀଳ ମେସେଜ୍ କରିଥିଲେ । ମହିଳାଙ୍କ ଫୋନରୁ ସମସ୍ତ ମେସେଜକୁ ପୋଲିସ ଯାଞ୍ଚ କରିବା ପରେ ଅନେକ ତଥ୍ୟ ସାମ୍ନାକୁ ଆସିଛି । ଅନ୍ୟ ପକ୍ଷରେ ଗତ ବର୍ଷ ଅକ୍ଟୋବର ମାସରେ ମଧ୍ୟ ଏକ ଭିଡ଼ିଓ ଜାରି କରି ନିଜ ବାପାଙ୍କ ବିରୁଦ୍ଧରେ ଏମିତି ଅଭିଯୋଗ ଆଣିଥିଲେ ।
ପୋଲିସ ନିଜ ଆଡ଼ୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ପୋଲିସ ତଦନ୍ତରେ ତାଙ୍କ ବାପା ହିଁ ମୁଖ୍ୟ ଅଭିଯୁକ୍ତ ଥିବା ପୋଲିସ ଜାଣିବାକୁ ପାଇଁ ତାଙ୍କୁ ଗିରଫ କରିଛି । ସେ ପେସାରେ ଜଣେ ଶିକ୍ଷକ ଅଟନ୍ତି । ଲୋଭରେ ଅନ୍ୟମାନଙ୍କ ସହ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିବା ଅଭିଯୋଗ ମଧ୍ୟ ସେ କରିଛନ୍ତି। ଏହି ସମସ୍ତ ଅଭିଯୋଗର ସତ୍ୟତା ଏପର୍ଯ୍ୟନ୍ତ ପୁଲିସ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ ଏବଂ ତଦନ୍ତ ଚାଲିଛି।