ଅଭିଜ୍ଞ ଅଭିନେତ୍ରୀ ହେମା ମାଳିନୀ ୧୮୦ରୁ ଅଧିକ ଚଳଚ୍ଚିତ୍ରରେ କାମ କରିଛନ୍ତି ଏବଂ ୨୦୨୦ ପର୍ଯ୍ୟନ୍ତ ବଡ଼ ପରଦାରେ ଦେଖାଯାଇଛନ୍ତି। ଯଦିଓ ଏବେ ସେ ଅଭିନୟରୁ ଦୂରରେ ଅଛନ୍ତି। ଭାରତୀୟ ସିନେମାର ଶୀର୍ଷ ତାରକାମାନଙ୍କ ମଧ୍ୟରେ ଗଣା ହେଉଥିବା ହେମା ମାଳିନୀ ଏକ ସମୟରେ ବଡ଼ ପରଦାରେ ରାଜ୍ କରୁଥିଲେ। ତାଙ୍କର ସୌନ୍ଦର୍ଯ୍ୟ ଏବଂ ଚମତ୍କାର ଅଭିନୟକୁ ପ୍ରଶଂସକମାନେ ବହୁତ ପସନ୍ଦ କରୁଥିଲେ। ନିକଟରେ ଦେଇଥିବା ଏକ ସାକ୍ଷାତକାରରେ ଅଭିନେତ୍ରୀଜଣଙ୍କ ସିନେମାର ସେହି ସ୍ୱର୍ଣ୍ଣିମ ଯୁଗକୁ ମନେ ପକାଇବା ସହ ଏବେ ସେ ଫିଲ୍ମରେ କାହିଁକି କାମ କରୁନାହାନ୍ତି, ସେ ବିଷୟରେ ମଧ୍ୟ କହିଛନ୍ତି।
ହେମା ମାଳିନୀ ଜଣେ ଅଭିନେତ୍ରୀ ହେବା ସହ ଜଣେ ରାଜନେତା ମଧ୍ୟ ଏବଂ ସୋସିଆଲ ମିଡିଆରେ ବେଶ୍ ସକ୍ରିୟ ରୁହନ୍ତି। ଅଭିନୟରୁ ଦୂରତା କଥା କହିବାକୁ ଗଲେ, ସେ ଆନୁଷ୍ଠାନିକ ଭାବେ ଫିଲ୍ମରେ କାମ ନକରିବା ନେଇ କୌଣସି ଘୋଷଣା କରିନାହାନ୍ତି, କିନ୍ତୁ ସେ ଦୀର୍ଘ ସମୟ ହେବ କୌଣସି ପ୍ରୋଜେକ୍ଟରେ ନଜର ଆସିନାହାନ୍ତି। ଚାଲନ୍ତୁ ଜାଣିବା ଏହାର କାରଣ କଣ।
ସିନେମାର ସ୍ୱର୍ଣ୍ଣିମ ଯୁଗକୁ ମନେ ପକାଇଲେ
ହେମା ମାଳିନୀ ସିନେମାର ସେହି ସମୟକୁ ମନେ ପକାଇଥିଲେ ଯେତେବେଳେ ତାଙ୍କ କ୍ୟାରିୟର୍ ଶୀର୍ଷରେ ଥିଲା। ସେ କହିଛନ୍ତି ଯେ, "ତାହା ଏକ ସମ୍ପୂର୍ଣ୍ଣ ଭିନ୍ନ ଯୁଗ ଥିଲା, ମୁଁ କହିବି କି ତାହା ଚଳଚ୍ଚିତ୍ର ଜଗତର ସ୍ୱର୍ଣ୍ଣିମ ସମୟ ଥିଲା। ମୁଁ ବହୁତ ଭାଗ୍ୟବାନ ଯେ ସେହି ସଫରର ଏକ ଅଂଶ ହୋଇପାରିଲି। ସେହି ସମୟରେ ଅନେକ ସୁନ୍ଦର ଚଳଚ୍ଚିତ୍ର ନିର୍ମାଣ ହୋଇଥିଲା, ବିଶେଷ କରି ମହିଳା ପ୍ରଧାନ ଚଳଚ୍ଚିତ୍ର ଯେମିତି କି 'ସୀତା ଆଉ ଗୀତା'ରେ ଭୂମିକା ନିର୍ଭା କରିବାର ସୌଭାଗ୍ୟ ମିଳିଥିଲା। ଏହା ବ୍ୟତୀତ ମୋର ଫିଲ୍ମ 'ସପନୋ କା ସୌଦାଗର', 'ଖୁସବୁ' ସମେତ ଅନେକ ଫିଲ୍ମ ରହିଛି।"
ଏହା ଆଗକୁ ସେ କହିଛନ୍ତି, "ଆଜି ବି ଯେତେବେଳେ ମୁଁ ପଛକୁ ଫେରି ଚାହେଁ, ମତେ ଅନୁଭବ ହୁଏ ଯେ ମୁଁ ପ୍ରାୟ ୨୦୦ଟି ଫିଲ୍ମରେ କାମ କରିଛି ଏବଂ ଅଧିକାଂଶ ପ୍ରଯୋଜକ ମତେ ନିଜ ପ୍ରୋଜେକ୍ଟରେ ବାରମ୍ବାର ସାଇନ୍ କରୁଥିଲେ। ସେହି ଦିନଗୁଡ଼ିକରେ ପ୍ରତି ଚଳଚ୍ଚିତ୍ରରେ ଅତି କମରେ ୫-୬ଟି ଗୀତ ରହୁଥିଲା ଏବଂ ଏହି ଗୀତଗୁଡ଼ିକ ହିଟ୍ ହେବା ପ୍ରଯୋଜକମାନଙ୍କ ପାଇଁ ବହୁତ ଜରୁରୀ ଥିଲା।"
କାହିଁକି କରୁନାହାନ୍ତି ଫିଲ୍ମରେ କାମ?
ହେମା ମାଳିନୀ ଆଗକୁ କହିଛନ୍ତି, "ଆଜି ସମୟରେ ଚଳଚ୍ଚିତ୍ର ନିର୍ମାଣ ସମ୍ପୂର୍ଣ୍ଣ ଭିନ୍ନ ହୋଇଯାଇଛି। ଅନେକ ଲୋକ ମତେ ପଚାରନ୍ତି ଯେ ମୁଁ ଏବେ କାମ କାହିଁକି କରୁନାହିଁ, କିନ୍ତୁ ମୋ ପାଇଁ ଆଜିର ସମୟରେ ଯେଉଁଭଳି ଭାବେ ଫିଲ୍ମ ତିଆରି ହେଉଛି, ସେହି ଶୈଳୀ ସହ ତାଳମେଳ ରଖିବା ବହୁତ କଷ୍ଟକର।"
କ୍ୟାରିୟରର ଲମ୍ବା ପାଳି
୧୯୬୮ରୁ ୧୯୭୦ ପର୍ଯ୍ୟନ୍ତ ହେମା ମାଳିନୀ 'ସପନୋ କା ସୌଦାଗର', 'ଶରାଫତ', 'ଜନି ମେରା ନାମ' ଭଳି ଫିଲ୍ମରେ ନଜର ଆସିଥିଲେ। ଅନ୍ୟପଟେ ୧୯୧ରୁ ୧୯୭୫ର ସମୟ ସ୍ୱର୍ଣ୍ଣିମ ଯୁଗ ଥିଲା। ଏଥିରେ ସେ 'ଶୋଲେ', 'ସୀତା ଆଉ ଗୀତା', 'ଗୋରା ଆଉ କାଲା', 'ପଥର ଆଉ ପାୟଲ', 'ଅମୀର-ଗରୀବ', 'ଧର୍ମାତ୍ମା' ଭଳି ହିଟ୍ ଫିଲ୍ମରେ ଦେଖାଯାଇଥିଲେ। ଏହା ପରେ ମଧ୍ୟ ସେ 'ଦି ବର୍ଣ୍ଣିଂ ଟ୍ରେନ୍' ଠାରୁ ଆରମ୍ଭ କରି 'ତ୍ରିଶୂଳ', 'ଡ୍ରିମ୍ ଗର୍ଲ' ଭଳି ଫିଲ୍ମରେ କାମ କରିଥିଲେ।
ଏହା ପରେ 'କ୍ରାନ୍ତି', 'ନସୀବ', 'ସତ୍ତେ ପେ ସତ୍ତା', 'ଅନ୍ଧା କାନୁନ୍', 'ଜମାଇ ରାଜା'ରେ ମଧ୍ୟ ସେ ହିଟ୍ ରହିଥିଲେ। ୧୯୯୧ରୁ ଆରମ୍ଭ କରି ୨୦୨୦ ପର୍ଯ୍ୟନ୍ତ ହେମା ମାଳିନୀ 'ବାଗବାନ୍', 'ୟେ ଦିଲ୍ ଆଶନା ହୈ', 'ଲାଗା ଚୁନରୀ ମେଁ ଦାଗ', 'ବାବୁଲ', 'ଏକ ଥି ରାନୀ ଐସି ଭି'ରେ ନଜର ଆସିଥିଲେ। ତାଙ୍କର ଶେଷ ଫିଲ୍ମ 'ଶିମଲା ମିର୍ଚ୍ଚି' ଥିଲା, ଯାହା ୨୦୨୦ ମସିହାରେ ରିଲିଜ୍ ହୋଇଥିଲା।