ଭୁବନେଶ୍ୱର: ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ବୁଧବାର ରିପୋର୍ଟ କାର୍ଡ ଦେଇଛନ୍ତି । ଦୀର୍ଘ ସାତ ବର୍ଷର ସେ ରିପୋର୍ଟ କାର୍ଡ଼ ଦେଇଛନ୍ତି । ମେ ୨୦୧୯ରୁ ମେ ୨୦୨୬ ପର୍ୟ୍ୟନ୍ତ ଦୁଇ ଦୁଇ ଥର ସାଂସଦ ଭାବେ ନିର୍ବାଚିତ ହେବା ପରେ ରାଜଧାନୀ ବାସିନ୍ଦାଙ୍କ ପାଖରେ ନିଜର ସଫଳତା ଚିଠା ଦେଇଛନ୍ତି ।
ଅପରାଜିତା ଷଡ଼ଙ୍ଗୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ନିଜର ୬୦ ପୃଷ୍ଠା ସମ୍ବଳିତ ରିପୋର୍ଟ କାର୍ଡ ଉନ୍ନୋଚନ କରିଛନ୍ତି । ଏହି ବିଗତ ସାତ ବର୍ଷ ମଧ୍ୟରେ ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀ ମଧ୍ୟରେ ଅନେକ ବିକାଶ ମୂଳକ କାର୍ୟ୍ୟ କରିବା ସହିତ ଲୋକଙ୍କ ସୁଖଦୁଃଖରେ ସାଥି ହୋଇଛନ୍ତି । ପ୍ରମୁଖ ବିକାଶମୂଳକ କାର୍ୟ୍ୟ ମଧ୍ୟରେ ରହିଛି କ୍ୟାପିଟାଲ୍ ରିଜିଅନ୍ ରିଙ୍ଗ୍ ରୋଡ୍ ପ୍ରସ୍ତାବ ମଞ୍ଜୁର, ଏନ୍ଏଚ୍-୫୭ରେ ଖୋର୍ଦ୍ଧା ସହର ବାଇପାସ ରୋଡ୍, ବାଘମାରୀ ବାଇପାସ୍ ରୋଡ୍, ପଳାଶୁଣୀ ସେତୁ ସମ୍ପ୍ରସାରଣ, ସର୍ଭିସ୍ ରୋଡ୍ ଓ ଡ୍ରେନ୍ ନିର୍ମାଣ, ପଳାଶୁଣୀ-ରସୁଲଗଡ଼ ରାସ୍ତାର ଭିତ୍ତିଭୂମି ବିକାଶ, ରାଜସୁନାଖଳା, ବେଗୁନିଆ ଓ ପୁବୁସାହି ବାଇପାସ୍, ଭୁବନେଶ୍ୱର ରେଳ ଷ୍ଟେସନର ଆଧୁନିକୀକରଣ ଓ ଭୁବନେଶ୍ୱର ସହର ପାଇଁ ନୂତନ ସଡ଼କ ପ୍ରକଳ୍ପ ଅନ୍ତର୍ଭୁକ୍ତ ଅଟେ । ଏଥିମଧ୍ୟରୁ କିଛିଟାର ନିର୍ମାଣ କାର୍ୟ୍ୟ ସରିଥିବାବେଳେ ଆଉ କିଛିଟାର କାର୍ୟ୍ୟ ଚାଲୁ ରହିଛି । ସେହିପରି ରାଜ୍ୟ ସରକାରଙ୍କର ଦ୍ୱାରା ୩୫ଟି ସଡ଼କ ପ୍ରକଳ୍ପ ମଧ୍ୟ ଅନୁମୋଦିତ ହୋଇଛି । ଏହା ସହିତ ବିଭିନ୍ନ ନାଳ ଓ କେନାଲର ପୁନରୁଦ୍ଧାର କାର୍ୟ୍ୟ ଚାଲୁ ରହିଛି ।
ସାଂସଦଙ୍କ ଅନୁରୋଧ କ୍ରମେ ଭୁବନେଶ୍ୱରରେ ଜାତୀୟ ଆଧୁନିକ କଳା ଗ୍ୟାଲେରୀ ସ୍ଥାପନ, ଆଧୁନିକ ମାଛ ବଜାର ପ୍ରକଳ୍ପ, ଖୋର୍ଦ୍ଧା ତରତୁଆସ୍ଥିତ ଆଇଡିବିପି ପରିସରରେ କେନ୍ଦ୍ରୀୟ ବିଦ୍ୟାଳୟ ନିର୍ମାଣ କାର୍ୟ୍ୟ ଜାରି ରହିଛି ।
ଅପରାଜିତା କହିଛନ୍ତି ଯେ ମେ ୨୦୧୯ରୁ ଆଜି ଯାଏ ସେ ଲୋକଙ୍କ ସଦିଚ୍ଛାରେ କାମ କରିଆସିଛନ୍ତି । ସପ୍ତଦଶ ଓ ଅଷ୍ଟାଦଶ ଲୋକସଭାରେ ପ୍ରତିନିଧି କରିବାର ସୁଯୋଗ ମିଳିଛି । ଜନସାଧାରଣ ତାଙ୍କୁ ଆଶୀର୍ବାଦ ଦେଇଥିବାରୁ ସେ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି ।