କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରରେ ଘରପୋଡ଼ି ଚୋରି ଘଟଣାରେ ସଂପୃକ୍ତ ଏକ ଆନ୍ତଃରାଜ୍ୟ ଚୋରଗ୍ୟାଙ୍ଗକୁ ପୁଲିସ ବାବୁ କରିଛି । ଚୋରି ଘଟଣାରେ ସମ୍ପୃକ୍ତ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଚୋରି ସୁନା ଓ ରୂପା ଅଳଙ୍କାର ସମେତ ନଗଦ ୨ଲକ୍ଷ ୭୦ହଜାର ଟଙ୍କା ଜବତ କରାଯାଇଛି । ଅଭିଯୁକ୍ତଙ୍କ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା କଳାହାଣ୍ଡି ଏସପି ନାଗରାଜ ଦେବରକୋଣ୍ଡା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ଗତମାସ ଜୁଲାଇ ୨୦ତାରିଖ ରାତିରେ ଜେସିଙ୍ଗା ୱାର୍ଡ ନଂ ୩ର ସୁମନ ଚନ୍ଦ୍ର ଜୈନଙ୍କ ଘରର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ପ୍ରାୟ ୭ଳକ୍ଷ ଟଙ୍କା ମୂଲ୍ୟର ସୁନା ଓ ରୂପା ଅଳଙ୍କାର, ମୁଦ୍ରା ଓ ନଗଦ ଟଙ୍କା ଲୁଟି ନେଇଥିଲେ । ଏନେଇ ଅଭିଯୋଗ ପରେ ଆଇଆଇସି ନିତେନ୍ଦ୍ର ବିଶ୍ଵାଳଙ୍କ ଦ୍ୱାରା ତଦନ୍ତ ଆରମ୍ଭ ହୋଇଥିଲା । ପୋଲିସ ସମୁଦାୟ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଅଭିଯୁକ୍ତମାନେ ହେଲେ ମୁଖ୍ୟ ଅଭିଯୁକ୍ତ ନରେଶ ତାଣ୍ଡି, ରାୟଗଡ଼ା ଜେକେପୁରର ପ୍ରମି ଶ୍ରୀକାନ୍ତ, ରାହୁଲ ସାମଲ, ତେଜବ ନାଏକ, ହୁକା ଦୁତିୟା ଓ ରବି ଶଙ୍କର ମହନନ୍ଦିଆ ।
ଏହି ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଥିଲା ସ୍ଥାନୀୟ କେସିଙ୍ଗା ସହର ୱାର୍ଡ ନଂ ୩ ଅଞ୍ଚଳର ନରେଶ ତାଣ୍ଡି । ଏମାନଙ୍କ ମଧ୍ୟରୁ ୨ ଜଣ ୧୧ଟି ଚୋରି ମାମଲାରେ ସାମିଲ ଥିବା ଏସ୍ପି ନାଗରାଜ ଦେବରକୁଣ୍ଡା ସୂଚନା ଦେଇଛନ୍ତି। ଅଭିଯୁକ୍ତମାନଙ୍କ ନିକଟରୁ ୭୨ଗ୍ରାମ ସୁନା, ୧,୧୩୮ ଗ୍ରାମ ରୂପା ଏବଂ ନଗଦ ୨ଲକ୍ଷ ୭୦ହଜାର ଟଙ୍କା ଜବତ କରାଯାଇଥିବା ଏସପି କହିଛନ୍ତି।