ବଲାଙ୍ଗୀର: ରାଜ୍ୟରେ ଏବେ ଛେନା ବ୍ୟବସାୟୀ ଏବଂ ମିଠା ଦୋକାନୀଙ୍କ ଭିତରେ କୋକୁଆ ଭୟ ସୃଷ୍ଟି ହୋଇଛି । ଆଗକୁ ରାକ୍ଷୀ ପୂର୍ଣ୍ଣିମା ଥିବାରୁ ଅପମିଶ୍ରଣ ଓ ନିମ୍ନମାନର ମିଠା ବିକ୍ରି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ସେହିପରି ପନିରରେ ମଧ୍ୟ ବ୍ୟାପକ ପରିମାଣରେ ଅପମିଶ୍ରଣ ହେବାର ଅଭିଯୋଗ ହୋଇଛି । ଏହା ପରେ ରାଜ୍ୟବ୍ୟାପୀ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଘନ ଘନ ଚଢ଼ଉ କରାଯାଉଛି । ପରିଷ୍କାର-ପରିଚ୍ଛନ୍ନତା, ଖାଦ୍ୟର ଗୁଣବତ୍ତା ଓ ସ୍ୱାସ୍ଥ୍ୟକର ପରିବେଶ ଉପରେ ଗୁରୁତ୍ୱ ଦିଆଯାଉଛି ।
କଟକ, ଭୁବନେଶ୍ୱରଠାରୁ ଆରମ୍ଭ କରି କେନ୍ଦ୍ରାପଡ଼ା, ବାଲେଶ୍ୱର, ବଲାଙ୍ଗୀର ଆଦି ଜିଲ୍ଲା ମାନଙ୍କରେ ଚଢ଼ଉ ଜାରି ରହିଛି । ବଲାଙ୍ଗୀର ଓ ଟିଟିଲାଗଡ଼ ପୌରାଞ୍ଚଳର ବିଭିନ୍ନ ମିଠା ଦୋକାନ ଓ ଖାଦ୍ୟ ପ୍ରତିଷ୍ଠାନରେ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ବ୍ୟାପକ ଆକସ୍ମିକ ଯାଞ୍ଚ କରାଯାଇଛି। ପାର୍ବଣ ସମୟରେ ମିଠା ଓ ଅନ୍ୟାନ୍ୟ ଦୁଗ୍ଧଜାତ ଦ୍ରବ୍ୟର ବହୁଳ ଚାହିଦାର ସୁଯୋଗ ନେଇ ଅସାଧୁ ବ୍ୟବସାୟୀମାନେ ଯେପରି ଅସ୍ୱାସ୍ଥ୍ୟକର କିମ୍ବା ନିମ୍ନମାନର ଖାଦ୍ୟ ବିକ୍ରି ନ କରନ୍ତି, ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।
ସହରରେ ଖାଦ୍ୟ ନିରାପତ୍ତା ଟିମ୍ ସଦର ଥାନା ପୁଲିସର ସହଯୋଗରେ ବିଭିନ୍ନ ପ୍ରମୁଖ ଖାଦ୍ୟ ପ୍ରତିଷ୍ଠାନରେ ଯାଞ୍ଚ କରିଥିଲେ। ଏହି ସମୟରେ ବିଭିନ୍ନ ଦୋକାନରୁ ୯ଟି ଖାଦ୍ୟ ନମୁନା ସଂଗ୍ରହ କରାଯାଇ ପରୀକ୍ଷାଗାରକୁ ପଠାଯାଇଛି। ନିୟମ ଉଲ୍ଲଂଘନ କରିଥିବା ବ୍ୟବସାୟୀଙ୍କଠାରୁ ୨,୦୦୦ ଟଙ୍କା ଜରିମାନା ଆଦାୟ ସହ ୩ଟି ପ୍ରତିଷ୍ଠାନକୁ ‘କାରଣ ଦର୍ଶାଅ’ ନୋଟିସ ଜାରି କରାଯାଇଛି ବୋଲି ବଲାଙ୍ଗୀର ଖାଦ୍ୟ ନିରାପତ୍ତା ଅଧିକାରୀ ସୂଚନା ଦେଇଛନ୍ତି । ପାର୍ବଣ ସମୟରେ ଖାଦ୍ୟରେ ଅପମିଶ୍ରଣ, ନିମ୍ନମାନର ସାମଗ୍ରୀ ବ୍ୟବହାର ଓ ଅସ୍ୱାସ୍ଥ୍ୟକର ଖାଦ୍ୟ ବିକ୍ରିକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ ବୋଲି ପ୍ରଶାସନ ପକ୍ଷରୁ ଦୋକାନୀମାନଙ୍କୁ କଡ଼ା ଚେତାବନୀ ଦିଆଯାଇଛି।