ନୂଆପଡ଼ା: ଏକ ଜମି ଦୁର୍ନୀତି ମାମଲାରେ ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ତହସିଲଦାର ଏବଂ ସହକାରୀ ରାଜସ୍ୱ ନିରୀକ୍ଷକଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କୋମନା ବ୍ଲକ ତହସିଲଦାର ତଥା ସବ୍ ରେଜିଷ୍ଟାର ସର୍ବେଶ୍ୱର ଜାଲ ଏବଂ ଏଆରଆଇ ରାମନାଥ ମିଶ୍ରଙ୍କ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି ।
ତହସିଲଦାର ସର୍ବେଶ୍ୱର ଜାଲଙ୍କ ବିରୋଧରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ରାଜସ୍ୱ ବିଭାଗ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛି । ଏହି ନିଲମ୍ବିତ ଅବଧି ଆସନ୍ତା ୯୦ ଦିନ ପର୍ଯ୍ୟନ୍ତ ରହିବ । ଏହି ସମୟ ମଧ୍ୟରେ ସେ ସମ୍ବଲପୁର ଆରଡିସି ମୁଖ୍ୟାଳୟରେ ରହିବେ । ନିଲମ୍ବନ ଅବଧି ମଧ୍ୟରେ ସେ ମୁଖ୍ୟାଳୟ ଛାଡ଼ି ପାରିବେ ନାହିଁ । ଯଦି ସେ କେଉଁଠାକୁ ଯାଆନ୍ତି ତେବେ ଆରଡିସିଙ୍କ ଅନୁମତି ନେବା ବାଧ୍ୟତାମୂଳକ । ଏହି ଆଦେଶ ଚିଠି ହେବାର ତତ୍କାଳ ପ୍ରଭାବ ସ୍ୱରୂପ ଲାଗୁ ହୋଇଛି ।
ସେହିପରି ଏଆରଆଇ ରାମନାଥ ମିଶ୍ରଙ୍କୁ ନୂଆପଡ଼ା ଜିଲ୍ଲାପାଳ ନିଲମ୍ବିତ କରିଛନ୍ତି । କୋମନା ତହସିଲର ଖାତା ନଂ.୪୯, ମୌଜା ଚାନ୍ଦୋପାଳ ଅନ୍ତର୍ଗତ ରେକର୍ଡ ହୋଇଥିବା ଜମି ମାପର ଠକେଇ ପଞ୍ଜିକରଣରେ ଦୁର୍ନୀତି ହୋଇଥିବାର ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଏ ନେଇ ନୂଆପଡାର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଥିଲା । ତଦନ୍ତ ସମୟରେ ଜଣାପଡିଥିଲା ଯେ ଏଆରଇ ରାମନାଥ ମିଶ୍ର କୋମନା ସବ୍-ରେଜିଷ୍ଟାର କାର୍ଯ୍ୟାଳୟରେ ଉକ୍ତ ଜମି ପଞ୍ଜିକରଣରେ ସମ୍ପୃକ୍ତ ଥିଲେ । ଏକ ଆଧାର ପ୍ରମାଣୀକରଣ ଆଇରିସ୍ ଡିଭାଇସ୍ ସବ-ରେଜିଷ୍ଟ୍ରି କାର୍ଯ୍ୟାଳୟରେ ଉବଲବ୍ଧ ଥିବା ସତ୍ତ୍ୱେ ତାହାର ବ୍ୟବହାର କରାଯାଇନଥିଲା । ଜମି ପଞ୍ଜିକରଣ ସମୟରେ ସରକାରୀ ନିୟମ ପାଳନରେ ଅବହେଳା ଅଭିଯୋଗରେ ତାଙ୍କୁ ନିଲମ୍ବିତ କରାଯାଇଛି ।