ଭୁବନେଶ୍ୱର: ପୂର୍ବତନ ଶରଣକୁଳ ଥାନା ଆଇଆଇସି ସୁଜିତ ଦାସଙ୍କ ଅଡ଼ୁଆ ବଢ଼ିଛି । ଫେରାର ଥିବା ସୁଜିତ ଦାସଙ୍କ ନାଁରେ ଜାମିନ ବିହୀନ ଗିରଫ ପରୱାନା ବା ଏନବିଡବ୍ଲ୍ୟୁ ଜାରି ହୋଇଛି । ଆଜି ସୁଜିତଙ୍କ ଏକାଧିକ ଠିକଣାରେ କ୍ରାଇମବ୍ରାଞ୍ଚ ଟିମ୍ ଚଢ଼ଉ ଜାରି ରଖିଛି । ଭୁବନେଶ୍ୱରସ୍ଥିତ ଏକ ବାସଭବନରେ ମଧ୍ୟ ଚଢ଼ଉ ହୋଇଛି ।
ମହିଳା ଅଭିଯୋଗକାରୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ସୁଜିତ ଦାସ ଅଭିଯୁକ୍ତ ଅଛନ୍ତି । ସୁଜିତ ଦାସ ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ । ହାଇକୋର୍ଟ ତାଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଥିଲେ । ଗତ ଅଗଷ୍ଟ ୪ ତାରିଖରେ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସେ କ୍ରାଇମବ୍ରାଞ୍ଚ ସମ୍ମୁଖରେ ହାଜର ମଧ୍ୟ ହୋଇଥିଲେ। ପରେ କ୍ରାଇମବ୍ରାଞ୍ଚ ସିଏଡବ୍ଲ୍ୟୁ ଅଧିକ ତଦନ୍ତ କରି ସମସ୍ତ ତଥ୍ୟ ପ୍ରମାଣ ଦାଖଲ କରି ହାଇକୋର୍ଟରେ ଅନ୍ତରୀଣ ସୁରକ୍ଷା ପ୍ରତ୍ୟାହାର ପାଇଁ ଆବେଦନ କରିଥିଲା । ଅଗଷ୍ଟ ୨୦ରେ, ହାଇକୋର୍ଟ ସୁଜିତ ଦାସଙ୍କ ଅନ୍ତରୀଣ ସୁରକ୍ଷାକୁ ପ୍ରତ୍ୟାହାର କରିନେଇଥିଲେ । ଏହା ପରଠାରୁ ସୁଜିତ କେଉଁ ଆଡ଼େ ଫେରାର ହୋଇଯାଇଛନ୍ତି ।
ଉଲ୍ଲେଖ ଯୋଗ୍ୟ, ଜଣେ ମହିଳା ଅଭିଯୋଗକାରୀ କୌଣସି ଏକ ମାମଲାରେ ତତ୍କାଳୀନ ଶରଣକୁଳ ଥାନା ଆଇଆଇସି ସୁଜିତ ଦାସଙ୍କୁ ଭେଟିଥିଲେ । ଅଭିଯୋଗକାରିଣୀଙ୍କ କହିବା ମୁତାବକ, ମହିଳାଙ୍କ ପରିବାର ସହିତ ଗ୍ରାମବାସୀଙ୍କ ମଧ୍ୟରେ ଜମିଜମାକୁ ନେଇ ବିବାଦ ରହିଥିଲା । ଶରଣକୁଳ ଥାନା ଅଧିକାରୀ ସୁଜିତ କୁମାର ଦାସ ମହିଳାଙ୍କୁ ମାମଲାରେ ସହଯୋଗ କରିବାକୁ କହି ତାଙ୍କୁ ଆଡ଼ୁ ଫୋନ୍ ନମ୍ବର ମାଗିକି ନେଇଥିଲେ । କିନ୍ତୁ ରସିକିଆ ଥାନା ବାବୁ ଘଟଣାର ସମାଧାନ କରିବା ବଦଳରେ ମହିଳାଙ୍କ ଦୁର୍ବଳତାର ଫାଇଦା ଉଠାଇଥିଲେ । ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ । ବିଭିନ୍ନ ସ୍ଥାନକୁ ନେଇ ତାଙ୍କୁ ଦୁଷ୍କର୍ମ କରିଥିଲେ । ପରେ ମିଥ୍ୟା ମାମଲାରେ ମଧ୍ୟ ମହିଳାଙ୍କୁ ଗିରଫ କରାଇଥିଲେ । ଏ କଥା କାହାକୁ କହିଲେ ବାପା ଏବଂ ଭାଇଙ୍କୁ ମିଥ୍ୟା ମାମଲାରେ ଫସାଇ ଦେବେ ବୋଲି ଧମକ ଦେଇଥିଲେ । ଏ ନେଇ ମହିଳା ଜଣକ ନୟାଗଡ଼ ଏସପିଙ୍କୁ ଜଣାଇବା ପରେ ପ୍ରଥମେ ସୁଜିତ ଦାସଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଥିଲା । ପରବର୍ତ୍ତୀ ସମୟରେ ଗତ ୨୨ ଜୁନରେ ଡିଜିପି ସୁଜିତ ଦାସଙ୍କୁ ଚାକିରୀରୁ ନିଲମ୍ବିତ କରିଥିଲେ ।