ଭୁବନେଶ୍ୱର : ଶ୍ରୀମନ୍ଦିରରେ ଦିନକୁ ଦିନ ବର୍ଷ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ବିଶେଷ କରି ଛୁଟି ଦିନ ମାନଙ୍କରେ ଏହି ସଂଖ୍ୟା ବହୁଗୁଣିତ ହେଇଯାଉଛି । ଏହାକୁ ଦୃଷ୍ଟିରେ ରଖି ସମସ୍ତ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନକୁ ସୁରୁଖୁର କରିବା ଲାଗି ସୋମବାର ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ଯକ୍ଷତାରେ ଏକ ଉଚ୍ଚ ସ୍ତରୀୟ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି।
ଭୁବନେଶ୍ୱର ଲୋକସେବା ଭବନ ସ୍ଥିତ ଆଇନ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଆଇଆଇଟି ଭୁବନେଶ୍ୱର ପକ୍ଷରୁ ଶୃଙ୍ଖଳିତ ଧାଡ଼ି ଦର୍ଶନ ନେଇ ବିଭିନ୍ନ ମଡେଲ ପ୍ରଦର୍ଶିତ କରାଯାଇଥିଲା । ଏହାକୁ ଅନୁଧ୍ୟାନ କରି ସର୍ବଶ୍ରେଷ୍ଠ ମଡେଲକୁ କିଭଳି ଭାବେ କାର୍ଯ୍ୟକାରୀ କରାଯାଇ ପାରିବ ସେଥି ନେଇ ଆଲୋଚନା ହୋଇଛି । ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ସାତ ପାହାଚରୁ ଭିଡ ନିୟନ୍ତ୍ରିତ କରାଯାଇ ସବୁ ଭକ୍ତଙ୍କୁ ଶୃଙ୍ଖଳିତ ଭାବେ ମନ୍ଦିର ପ୍ରବେଶ କରାଇବା ସମ୍ଭବ ହୋଇ ପାରିବ । ଏଥି ସହିତ ଭକ୍ତ ମାନେ ୫ ଟି ଅଲଗା ଅଲଗା ରାମ୍ପ ଯୋଗେ ଶୃଙ୍ଖଳିତ ଦର୍ଶନ କରିପାରିବେ । ଫଳରେ ପ୍ରତି ଏକ ଘଣ୍ଟାରେ ପ୍ରାୟ ୮ ରୁ ୧୦ ହଜାର ଶ୍ରଦ୍ଧାଳୁ ଶୃଙ୍ଖଳିତ ଦର୍ଶନ କରି ପାରିବେ । ଏହାର ସଠିକ କାର୍ଯ୍ୟକାରିତା ନେଇ ଖୁବ ଶୀଘ୍ର ଏକ ପାଇଲଟ ମଡେଲ ପ୍ରସ୍ତୁତ କରାଯିବା ସହିତ ଛତିଶା ନିଯୋଗ ଏବଂ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ଅନୁଧ୍ୟାନ କରାଯିବ । ପରବର୍ତ୍ତୀ ସମୟରେ ସମ୍ପୂର୍ଣ୍ଣ ଯୋଜନାକୁ ବାସ୍ତବ ରୂପ ଦିଆଯିବ । ଏହି କାର୍ଯ୍ୟ ଆଗାମୀ ୪ ମାସ ମଧ୍ଯରେ ଶେଷ ହେବ ବୋଲି ଆଇନମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।