ଭୁବନେଶ୍ୱର: ସରକାରଙ୍କ ନିୟମକୁ ଅବମାନନା କରି ମନମାନି ଚଳାଇଥିବା ଘରୋଇ ହସ୍ପିଟାଲ ବିରୁଦ୍ଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ । ଆୟୁଷ୍ମାନ ଭାରତ (PM-JAY) ଏବଂ ଗୋପବନ୍ଧୁ ଆରୋଗ୍ୟ ଯୋଜନାରେ ଅନିୟମିତତା ଅଭିଯୋଗରେ ରାଜ୍ୟର ଦୁଇଟି ପ୍ରମୁଖ ଘରୋଇ ହସ୍ପିଟାଲକୁ ନୋଟିସ୍ ଜାରି ହୋଇଛି । ଭୁବନେଶ୍ୱରସ୍ଥିତ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡ଼ିକାଲ ସାଇନ୍ସ (କିମ୍ସ) ଏବଂ ‘ମଣିପାଲ’ ହସ୍ପିଟାଲକୁ ଓଡ଼ିଶା ଷ୍ଟେଟ୍ ହେଲ୍ଥ ଆସ୍ୟୁରାନ୍ସ ସୋସାଇଟି (SHAS) ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି । ସେପଟେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗ କହିଛନ୍ତି ଯେ ସମ୍ପୃକ୍ତ ହସ୍ପିଟାଲ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
କିମ୍ସ ଓ ମଣିପାଲ ହସ୍ପିଟାଲ ବିରୋଧରେ ଆୟୁଷ୍ମାନ କାର୍ଡଧାରୀ ରୋଗୀମାନେ ବ୍ୟାପକ ଅଭିଯୋଗ ଆଣିଥିଲେ । ରୋଗୀଙ୍କୁ ହସ୍ପିଟାଲରେ ଏକ ପ୍ରକାର ଶୋଷଣ କରାଯାଉଥିବା ଅଭିଯୋଗ ଆସିଥିଲା । ରୋଗୀଙ୍କୁ ହଇରାଣ କରିବା, ଅଧିକ ଟଙ୍କା ଆଦାୟ କରିବା, କ୍ୟାସଲେସ୍ ସୁବିଧାରୁ ବଞ୍ଚିତ କରିବା ଏବଂ ଦୁର୍ବ୍ୟବହାର ଦେଖାଇବା ନେଇ ଅଭିଯୋଗ ଆସିଥିଲା । ଏହା ପରେ ସ୍ୱାସ୍ଥ୍ୟ ବିଭାଗର ଏକ ଦଳ ହସ୍ପିଟାଲ ପରିଦର୍ଶନ କରି ସତ୍ୟତା ଯାଞ୍ଚ କରିବା ପରେ ଅନିୟମିତତାର ପ୍ରମାଣ ମିଳିଛି । ଏହା ପରେ ନୋଟିସ୍ ଜାରି ହୋଇଛି ।
ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ କିମ୍ସ ଓ ମଣିପାଲ ହସ୍ପିଟାଲ ବିରୋଧରେ ଅନିୟମିତତା ପ୍ରମାଣ ମିଳିଥିବାରୁ କାର୍ଯ୍ୟାନୁଷ୍ଠାନ ନିଆଯିବ । ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଆରୋଗ୍ୟ ଯୋଜନାରେ ଅନିୟମିତତା ଅଭିଯୋଗ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗ ଟିମ୍ ଦୁଇଟି ହସ୍ପିଟାଲକୁ ଗସ୍ତ କରି ଯାଞ୍ଚ କରିଛନ୍ତି । କାହାଠୁ ଅଧିକ ଟଙ୍କା ତ କାହାକୁ ହଇରାଣ କରିଥିବା ପ୍ରମାଣ ମିଳିଛି । ସେଥିପାଇଁ ନୋଟିସ୍ ଜାରି ହୋଇଛି । କଠୋର କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ । ନୋଟିସ୍ର ଜବାବ ନ ମିଳିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ସେହିପରି ଲୋକଙ୍କୁ ହଇରାଣ ଏବଂ ମିଥ୍ୟା ଅପପ୍ରଚାର ନ କରିବାକୁ ଘରୋଇ ହସ୍ପିଟାଲ୍କୁ ସ୍ୱାସ୍ଥ୍ୟ ମନ୍ତ୍ରୀ ଅପିଲ୍ କରିଛନ୍ତି । ରୋଗୀ ଆଡମିଶନର ୩ ଦିନ ପୂର୍ବରୁ ସବୁ ପରୀକ୍ଷା ମାଗଣା କରିପାରିବେ । ସେହିପରି ଡିସଚାର୍ଜ ହେବାର ୧୫ ଦିନ ପର୍ଯ୍ୟନ୍ତ ଦେୟମୁକ୍ତ ସୁବିଧା ପାଇବେ ବୋଲି ମନ୍ତ୍ରୀ କହିଛନ୍ତି ।