ଭୁବନେଶ୍ୱର: ରାଜ୍ୟରେ ପୁଣି ଫେରୁଛି ବର୍ଷାର ବଡ଼ ରାଉଣ୍ଡ। ଆସନ୍ତା ୭ ଦିନ ଧରି ଓଡ଼ିଶାରେ ବ୍ୟାପକ ବର୍ଷା ସମ୍ଭାବନା ଥିବାବେଳେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଅଗଷ୍ଟ ୨୮ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ପରେ ଏହା ଘନିଭୂତ ହୋଇ ଅଗଷ୍ଟ ୨୯ କିମ୍ବା ୩୦ ବେଳକୁ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ଆଶଙ୍କା ରହିଛି।
ଲଘୁଚାପ ସୃଷ୍ଟି ପୂର୍ବରୁ ହିଁ ଏହାର ପ୍ରଭାବ ରାଜ୍ୟରେ ଦେଖାଦେବ। ବିଭିନ୍ନ ଜିଲ୍ଲାରେ ବର୍ଷା ସହ ଘଡ଼ଘଡ଼ି ଓ ଦମକା ପବନ ହେବାର ସମ୍ଭାବନା ରହିଛି। ଆଜି ପାଇଁ ୨୪ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ସେହିପରି ଅଗଷ୍ଟ ୨୯ରୁ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପ୍ରଥମ ପର୍ଯ୍ୟାୟରେ ମୟୂରଭଞ୍ଜ, କେନ୍ଦୁଝର ଓ ଅନୁଗୋଳ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ପରବର୍ତ୍ତୀ ଦିନଗୁଡ଼ିକରେ ଆହୁରି ଅନେକ ଜିଲ୍ଲାକୁ ଅତିପ୍ରବଳ ବର୍ଷା ସତର୍କତା ଜାରି କରାଯିବ ବୋଲି ଆଇଏମ୍ଡି କହିଛି।
ସମ୍ଭାବ୍ୟ ଭାରି ବର୍ଷାକୁ ଦୃଷ୍ଟିରେ ରଖି ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବା ସହ ପାଣିପାଗ ବିଭାଗର ସୂଚନା ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି।