ଭଦ୍ରକ: ଇଦ୍ ପର୍ବର ଗୋଟିଏ ଦିନ ପରେ ଭଦ୍ରକ ଜିଲ୍ଲା ପୁରୁଣା ବଜାର ଥାନା ଅନ୍ତର୍ଗତ ନଙ୍ଗା ମହଲା ଅଞ୍ଚଳରେ ଅଘଟଣ ଘଟିଯାଇଛି । ସ୍ତ୍ରୀକୁ ହତ୍ୟା କରି ସ୍ୱାମୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ମୃତକ ହେଲେ ନଙ୍ଗା ମହଲା ୧୮ ନମ୍ବର ୱାର୍ଡର ଶେଖ ନଇମଙ୍କର ବଡ଼ ପୁଅ ଶେଖ ମୁସ୍ତାଫ ରାଜା (୩୨) ଓ ତାଙ୍କ ସ୍ତ୍ରୀ ସାନୁ ବିବି (୨୭) ।
ଶେଖ ମୁସ୍ତାଫ ରାଜା ୭ ବର୍ଷ ତଳେ ଉତ୍ତର ପ୍ରଦେଶ ଲକ୍ଷ୍ନୌରେ ପ୍ରେମ ବିବାହ କରିଥିଲେ । ଉଭୟଙ୍କର ଦୁଇଟି ଝିଅ ଅଛନ୍ତି । ମୁସ୍ତାଫ ରାଜା ଜଣେ ଇଞ୍ଜିନିୟର । ଉତ୍ତର ପ୍ରଦେଶରେ ଏକ ଘରୋଇ କମ୍ପାନୀରେ ଚାକିରୀ କରନ୍ତି । ଗତ କିଛି ଦିନ ତଳେ ଲକ୍ଷ୍ନୌରୁ ଘରକୁ ଫେରିଥିଲେ । ଗତକାଲି ଇଦ୍ ଅବସରରେ ପରିବାର ଓ ସମ୍ପର୍କୀୟଙ୍କ ସହିତ ବେଶ ଆନନ୍ଦରେ ଇଦ୍ ପାଳନ କରିଥିଲେ । ଆଜି ସକାଳେ ଝିଅ ଦୁଇ ଜଣ ଘରର କବାଟ ଖୋଲିଥିଲେ । ମାତ୍ର କବାଟ ଖୋଲି ନ ଥିଲା । ଏହା ପରେ ପଡ଼ୋଶୀଙ୍କୁ ଝିଅ କହିବା ପରେ ପଡ଼ୋଶୀ କବାଟ ଖୋଲିଥିଲେ । ମାତ୍ର ସେତେବେଳକୁ ସବୁ ସରି ଯାଇଥିଲା । ସ୍ତ୍ରୀ ସାନୁ ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ିଥିବାବେଳେ ମୁସ୍ତାକଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ ।
ଏ ନେଇ ପରିବାର ଲୋକେ ପୁରୁଣା ବଜାର ଥାନାକୁ ଖବର ଦେଇଥିଲେ । ଥାନା ଘଟଣା ସ୍ଥଳରେ ପହଁଚିଛି ।
ପଡ଼ୋଶୀଙ୍କ କହିବା ମୁତାବକ, ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବିଭିନ୍ନ ସମୟରେ କଳହ ଲାଗି ରହୁଥିଲା । ଗତକାଲି ରାତିରେ ମଧ୍ୟ ଇଦ୍ ପାଳନ ସରିବା ପରେ ଝଗଡ଼ା ଲାଗିଥିଲେ । ଯାହା ପରେ ମୁସ୍ତାକ ଏପରି ଚରମ ନିଷ୍ପତ୍ତି ନେଇଥିବା ପଡ଼ୋଶୀ କହିଛନ୍ତି ।