ଗଞ୍ଜାମ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଞ୍ଜାମ ଜିଲ୍ଲାର ଗୋଳାବନ୍ଧଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ଯୋଗଦେଇ ଗୋଳାବନ୍ଧ ଓ ଛେଳିଗଡ଼ ପ୍ରକଳ୍ପର ବିସ୍ଥାପିତ ଅଧିବାସୀଙ୍କ ପାଇଁ ସ୍ୱତନ୍ତ୍ର ପୁନର୍ବାସ ଓ ଥଇଥାନ (R&R) ପ୍ୟାକେଜ୍ର କାର୍ଯ୍ୟକାରିତା ଶୁଭାରମ୍ଭ କରିବା ସହ ହିତାଧିକାରୀଙ୍କୁ ସ୍ଥାୟୀ ଜମି ପଟ୍ଟା ପ୍ରଦାନ କରିଛନ୍ତି। ଗୋଳାବନ୍ଧର ୧,୩୭୧ଟି ବିସ୍ଥାପିତ ପରିବାର ପାଇଁ ୭୫.୬୦ କୋଟିର ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିବା ସହିତ ସହ ପ୍ରତ୍ୟେକ ପରିବାରକୁ ୫ ଲକ୍ଷ ଟଙ୍କାର ଏକକାଳୀନ ସହାୟତା, ଗୃହ ନିର୍ମାଣ ଓ ଆଧୁନିକ ସାମୁଦାୟିକ ଭିତ୍ତିଭୂମିର ବିକାଶ ପାଇଁ ସରକାର ଅର୍ଥ ମଞ୍ଜୁର କରିଛନ୍ତି।
ସ୍ୱତନ୍ତ୍ର ପୁନର୍ବାସ ପ୍ୟାକେଜ୍ ଅଧୀନରେ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ବା ଡିବିଟି ମାଧ୍ୟମରେ ଏକକାଳୀନ କ୍ଷତିପୂରଣ ପ୍ରଦାନ ସହ ଆବାସ ଯୋଜନାରେ ବାସଗୃହ ନିର୍ମାଣ ବ୍ୟବସ୍ଥା କରାଯାଇଛି। ଘର ନିର୍ମାଣ ସହାୟତା ବାବଦରେ ୪ କୋଟି ୨୫ ଲକ୍ଷ ୧୦ ହଜାର ଆବଣ୍ଟନ କରିଛନ୍ତି । ଏହା ସହିତ ଛେଳିଗଡ଼ ମଧ୍ୟମ ଜଳସେଚନ ପ୍ରକଳ୍ପ ଦ୍ୱାରା ପ୍ରଭାବିତ ୧୧୨ ପରିବାରକୁ ଦିଗପହଣ୍ଡି ତହସିଲ ଅନ୍ତର୍ଗତ ସାନ୍ତରାପୁରଠାରେ ପୁନର୍ବାସିତ କରାଯାଇ ଘରବାରି ଓ ଚାଷଜମିର ସ୍ଥାୟୀ ସତ୍ତ୍ୱାଧିକାର ପଟ୍ଟା ବଣ୍ଟନ କରାଯିବ । ଆଜି ପ୍ରଥମ ପର୍ଯ୍ୟାୟରେ ୯୬ ପରିବାରକୁ ମୁଖ୍ୟମନ୍ତ୍ରୀ ଘରବାରି ଓ ଜମି ପଟ୍ଟା ବଣ୍ଟନ କରିଛନ୍ତି ।
ଏହା ସହିତ ନୂଆ କୀର୍ତ୍ତିପୁର ପୁନର୍ବାସ କଲୋନୀରେ ଉନ୍ନତ ପକ୍କା ରାସ୍ତା, ଆଲୋକୀକରଣ, ଅଙ୍ଗନବାଡ଼ି କେନ୍ଦ୍ର, ବାଣିଜ୍ୟିକ ପରିସର, ବାତ୍ୟା ଆ୍ରଶୟସ୍ଥଳୀ ଏବଂ ମତ୍ସ୍ୟଜୀବୀଙ୍କ ଡଙ୍ଗା ରଖିବା ପାଇଁ ବେଳାଭୂମିର ସମତୁଲକରଣ ଭଳି ନାଗରିକ ଭିତ୍ତିଭୂମି ପ୍ରତିଷ୍ଠା କରାଯାଉଛି। ବେଳାଭୂମି ସମତୁଲକରଣ ପାଇଁ ୨.୮୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ମଞ୍ଜୁର କରିଛନ୍ତି ରାଜ୍ୟ ସରକାର ।
ରାଜ୍ୟର ସାମୁଦ୍ରିକ ଅର୍ଥନୀତିକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଆର୍ଯ୍ୟପଲ୍ଲୀ ମତ୍ସ୍ୟ ବନ୍ଦରର ନବୀକରଣ, ଫିସ୍ ଲ୍ୟାଣ୍ଡିଂ ସେଣ୍ଟର ସ୍ଥାପନ, ଗୋପାଳପୁର ବନ୍ଦର ସମ୍ପ୍ରସାରଣ ଏବଂ ବାହୁଦାଠାରେ ନୂତନ ମେଗା ବନ୍ଦର ନିର୍ମାଣ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଉଛି । ଅର୍ଜିପଲ୍ଲୀ ବନ୍ଦର ନବୀକରଣ ସହ ଗଢ଼ାହେବ ୨୮ଟି ଫିସ୍ ଲ୍ୟାଣ୍ଡିଂ ସେଣ୍ଟର ।
ଗୋପାଳପୁର ଶିଳ୍ପାଞ୍ଚଳରେ ନୂତନ ପୁଞ୍ଜିନିବେଶ ସହ ଆଗାମୀ ଦୁଇ ବର୍ଷ ମଧ୍ୟରେ ରାଜ୍ୟରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାକୁ ଥିବାରୁ ସ୍ଥାନୀୟ ଯୁବଗୋଷ୍ଠୀଙ୍କୁ ନିଜର ଦକ୍ଷତା ବୃଦ୍ଧି ପାଇଁ ପରାମର୍ଶ ଦିଆଯାଇଛି ।
ଗୋଳାବନ୍ଧର ଫାଇଲକୁ ଚାପି ଦେଲେ ପୂର୍ବ ସରକାର
ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ନିଶାଣ କରିଛନ୍ତି । ଦୀର୍ଘ ୨୪ ବର୍ଷ ଧରି ଯେଉଁମାନେ ଗଞ୍ଜାମକୁ ନିଜର ଅଭେଦ୍ୟ ଦୁର୍ଗ ବୋଲି ଭାବୁଥିଲେ, ସେମାନେ ଗୋଳାବନ୍ଧର ଭବିଷ୍ୟତକୁ ବର୍ଷ ବର୍ଷ ଧରି ଫାଇଲ୍ ତଳେ ଚାପି ରଖିଥିଲେ। କିନ୍ତୁ ସଚ୍ଚୋଟ ଇଚ୍ଛାଶକ୍ତି ଥିଲେ ଯେ ଯୁଗ ଯୁଗର ସମସ୍ୟାର ସମାଧାନ ସମ୍ଭବ, ତାହା ଆଜି ଆପଣମାନଙ୍କ ସାମ୍ନାରେ ପ୍ରମାଣିତ ହୋଇଛି।
ମାତ୍ର ଦୁଇ ବର୍ଷ ତଳେ ରାଜ୍ୟରେ ଗଢ଼ି ଉଠିଥିବା ଡବଲ୍ ଇଞ୍ଜିନ୍ ସରକାର ପ୍ରଥମ ଦିନରୁ ହିଁ ଗଞ୍ଜାମର ସର୍ବାଙ୍ଗୀନ ବିକାଶ ଓ କଲ୍ୟାଣ ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇ କାମ କରିଆସୁଛନ୍ତି। ଗୋଳାବନ୍ଧର ବହୁ ପ୍ରତୀକ୍ଷିତ ସମସ୍ୟାର ସ୍ଥାୟୀ ସମାଧାନ, ଆମର ଏହି ପ୍ରଗତି ଯାତ୍ରାର ଏକ ବଡ଼ ସଫଳତା। ସେମାନେ ସମସ୍ୟାକୁ ଫାଇଲ୍ ତଳେ ଲୁଚାଇ ରଖୁଥିଲେ, କିନ୍ତୁ ଆମେ ପ୍ରତ୍ୟେକ ସମସ୍ୟାର ସମାଧାନର ବାଟ ଖୋଲୁଛୁ। ଆମ ପାଇଁ ବିକାଶ କେବଳ ପ୍ରତିଶ୍ରୁତି ନୁହେଁ, ବିକାଶ ହେଉଛି ଆପଣମାନଙ୍କ ସମସ୍ୟାର ସ୍ଥାୟୀ ନିରାକରଣ ।