ବାଲେଶ୍ୱର: ସମୁଦ୍ର ଭିତରୁ ବଞ୍ଚି ଆସିଛି ୮ ଜୀବନ । ଦୀର୍ଘ ୨୮ ଦିନ ଧରି ସମୁଦ୍ରରେ ଭିତରେ ସଂଘର୍ଷ କରିବା ପରେ ଶେଷ ନିଖୋଜ ଥିବା ୮ ଜଣ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଦିଘା ମୁହାଣଠାରୁ ପ୍ରାୟ ୧୦୦ କିଲୋମିଟର ଦୂର ସମୁଦ୍ର ମଧ୍ୟରୁ ମାଛଧରା ଡଙ୍ଗା ସହ ମତ୍ସ୍ୟଜୀବୀଙ୍କୁ ଠାବ କରାଯାଇଥିଲା। ଏମାନେ ସମସ୍ତେ ଆନ୍ଧ୍ରପ୍ରଦେଶର ଅଟନ୍ତି ।
ଆନ୍ଧ୍ରପ୍ରଦେଶରୁ ୨୮ ଦିନ ପୂର୍ବରୁ ସମୁଦ୍ରକୁ ମାଛ ଧରିବା ପାଇଁ ଏକ ଟ୍ରଲର୍ ବାହାରିଥିଲା । ହେଲେ ସମୁଦ୍ର ମଧ୍ୟରେ ହଠାତ୍ ଟ୍ରଲରର ଇଞ୍ଜିନ ଖରାପ ହୋଇଯାଇଥିଲା। ଫଳରେ ଟ୍ରଲରଟି ନିଜ ନିୟନ୍ତ୍ରଣରେ ନଥାଇ ସମୁଦ୍ରରେ ଭାସିବାକୁ ଲାଗିଥିଲା। ଧୀରେ ଧୀରେ ଭାସି ଭାସି ଟ୍ରଲରଟି ଓଡ଼ିଶା ଉପକୂଳ ଅଭିମୁଖେ ଆସିଥିଲା । ଟ୍ରଲରରେ ଥିବା ୮ ଜଣ ମତ୍ସ୍ୟଜୀବୀ ଦୀର୍ଘଦିନ ଧରି ସମୁଦ୍ର ମଧ୍ୟରେ ଅସହାୟ ଅବସ୍ଥାରେ ରହିଥିଲେ। ଇଞ୍ଜିନ ଅଚଳ ହୋଇଯିବା ପରେ ସେମାନେ ଅନ୍ୟ ଏକ ମାଛଧରା ଟ୍ରଲରକୁ ଦେଖି ସାହାଯ୍ୟ ମାଗିଥିଲେ। ପରେ ଦିଘା ମୁହାଣରୁ ସମୁଦ୍ରକୁ ଯାଇଥିବା ଅନ୍ୟ ମତ୍ସ୍ୟଜୀବୀମାନେ ଏହି ଟ୍ରଲରକୁ ଠାବ କରିଥିଲେ।
ଟ୍ରଲରଟି ଠାବ ହେବା ପରେ ମତ୍ସ୍ୟଜୀବୀମାନେ ୱୟାରଲେସ୍ ଯୋଗେ ଦିଘା ମୁହାଣରେ ଥିବା ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ। ଖବର ପାଇବା ପରେ ସ୍ଥାନୀୟ ପ୍ରଶାସନ ଓ ଉଦ୍ଧାରକାରୀ ଟିମ୍ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ଶେଷରେ ମାଛଧରା ଡଙ୍ଗା ସହିତ ୮ ଜଣ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।
ତେବେ ଦୀର୍ଘ ୨୮ ଦିନ ଧରି ସମୁଦ୍ରରେ ରହିବା ମଧ୍ୟରେ ମତ୍ସ୍ୟଜୀବୀମାନଙ୍କ ଦୁର୍ଦ୍ଦଶା କେତେ ଯେ ଭୟଙ୍କର ଥିଲା, ତାହା ସେମାନଙ୍କ କଥାରୁ ସ୍ପଷ୍ଟ ହୋଇଛି। ମତ୍ସ୍ୟଜୀବୀମାନଙ୍କ କହିବା ଅନୁସାରେ, ଡଙ୍ଗାରେ ଥିବା ପାଣି ଶେଷ ହୋଇଯାଇଥିଲା। ପ୍ରାୟ ୩ ଦିନ ଧରି ସେମାନେ ବରଫ ତରଳ କରି ପାଣି ଭାବେ ବ୍ୟବହାର କରି ଜୀବନ ରକ୍ଷା କରିଥିଲେ। ମତ୍ସ୍ୟଜୀବୀଙ୍କ ସମ୍ପର୍କରେ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ମଧ୍ୟ ସୂଚନା ଦିଆଯାଇଛି। ପୋଲିସ 8 ଜଣ ମତ୍ସ୍ୟ ଯିବିଙ୍କୁ ପ୍ରାଥମିକ ଚିକିତ୍ସା କରାଇଛନ୍ତି ।