ବୌଦ୍ଧ: ଆଜି ହେଉଛି ରାକ୍ଷୀ ପୂର୍ଣ୍ଣିମା । ଭଉଣୀକୁ ସବୁ ବିପଦଆପଦରୁ ରକ୍ଷା କରିବାକୁ ଭାଇ ହାତରେ ବନ୍ଧା ଯାଉଛି ରାକ୍ଷୀ । କିନ୍ତୁ ବୌଦ୍ଧରେ ଏକ ନିଆରା ଢଙ୍ଗରେ ରାକ୍ଷୀ ପୂର୍ଣ୍ଣିମା ପାଳିତ ହୋଇଯାଇଛି । ଗଛଙ୍କୁ ରାକ୍ଷୀ ବାନ୍ଧି ପାଳିଛନ୍ତି ରକ୍ଷା ବନ୍ଧନ । ବୌଦ୍ଧ ସହର ସ୍ଥିତ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟଠାରେ ଏହି ନିଆରା ରକ୍ଷା ବନ୍ଧନର ଉତ୍ସବ ସମସ୍ତଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି ।
ମହାବିଦ୍ୟାଳୟରେ ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ଡକ୍ଟର ପ୍ରବୀର କୁମାର ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବୌଦ୍ଧ ବନଖଣ୍ଡ ଅଧିକାରୀ ରାଜେନ୍ଦ୍ର ଗୋଚ୍ଛାୟତ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ସମ୍ମାନିତ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ତଥା ପରିବେଶ ପ୍ରେମୀ ସୁଧୀର କର୍ଣ୍ଣ ଓ ଅନ୍ୟାନ୍ୟ ଅତିଥି ଗଣ ଏହି ନିଆରା ରକ୍ଷା ବନ୍ଧନ ଉତ୍ସବ ପାଳନ କରିଥିଲେ l ଛାତ୍ରଛାତ୍ରୀମାନେ ମହାବିଦ୍ୟାଳୟର ପରିସରରେ ଥିବା ବୃକ୍ଷମାନଙ୍କୁ ରାକ୍ଷୀ ବାନ୍ଧି ସମାଜକୁ ଏକ ନୂତନ ବାର୍ତ୍ତା ପ୍ରଦାନ କରିଥିଲେ ଯେ ବୃକ୍ଷ ହିଁ ଆମର ରକ୍ଷକ l କାରଣ ବୃକ୍ଷ ହିଁ ଜୀବନ ଓ ବୃକ୍ଷକୁ ରକ୍ଷା କଲେ ପୃଥିବୀକୁ ରକ୍ଷା କରାଯାଇ ପାରିବ l କ୍ରମାଗତ ଭାବେ ୩୦ତମ ବର୍ଷରେ ପଦାର୍ପଣ କରିଥିବା ଏହି ନିଆରା ରକ୍ଷା ବନ୍ଧନ ଉତ୍ସବକୁ ବୌଦ୍ଧର ଜିଲ୍ଲାବାସୀ ଭୂୟସୀ ପ୍ରଶଂସା କରୁଛନ୍ତି l