ଭୁବନେଶ୍ୱର : ଝାରପଡ଼ା ଦୁର୍ଗା ମଣ୍ଡପ ପଡ଼ିଆରେ ୧୬୩ ବିଏନ୍ଏସ୍ ଧାରା ଲାଗୁ ହୋଇଛି। ଝାରପଡ଼ା ଦୁର୍ଗା ମଣ୍ଡପରେ କେହି ଅନଧିକାର ପ୍ରବେଶ କରି ପାରିବେ ନାହିଁ। ଚଳିତ ବର୍ଷ ମଧ୍ଯ ସେଠାରେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇପାରିବ ନାହିଁ। ଶାନ୍ତିଶୃଙ୍ଖଳା ରକ୍ଷା ଓ ଆଇନ ଶୃଙ୍ଖଳା ପରିସ୍ଥିତି ଏଡ଼ାଇବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ କଡ଼ା ପଦକ୍ଷେପ। ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଯୋଗୁଁ ଗତବର୍ଷ ଭଳି ଚଳିତ ବର୍ଷ ବି କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇପାରିବ ନାହିଁ ।
ଦୁର୍ଗାପୂଜା ପୂର୍ବରୁ ଚଳିତବର୍ଷ ପୁଣିଥରେ ପୂଜା ଆୟୋଜନକୁ ନେଇ ବିବାଦ ମୁଣ୍ଡ ଟେକିଛି। ଗତ କିଛି ଦିନ ତଳେ ଗୋଟିଏ ପକ୍ଷ ପୂଜା ପ୍ରସ୍ତୁତି ବେଳେ ଅପରପକ୍ଷ ଏହାକୁ ବିରୋଧ କରିଥିଲେ। ପରେ ପୁଲିସ ପହଞ୍ଚି ପ୍ରସ୍ତୁତି ବନ୍ଦ କରିଥିଲା । ଦୁଇପକ୍ଷଙ୍କ ସହ ଆଲୋଚନା କରି ଦୁର୍ଗାପୂଜା ପଡ଼ିଆରୁ ଫେରାଇଥିଲା । କିନ୍ତୁ ଏହି ଘଟଣା ପରେ ଦୁଇପକ୍ଷର ଲୋକେ ଏକଜୁଟ ହେବା ଓ ଝାରପଡ଼ା ଦୁର୍ଗାପୂଜା ପଡ଼ିଆରେ ଭିଡ଼ ବଢ଼ିବାରୁ ଅପ୍ରୀତିକର ପରିସ୍ଥିତି ଆଶଙ୍କା କରି ବ୍ୟାପକ ପୁଲିସ ମୁତୟନ କରାଯାଇଛି। ଦୁର୍ଗାପୂଜା ପଡ଼ିଆ ଓ ଝାରପଡ଼ା ଗାଁରେ ପୁଲିସ ଫ୍ଲାଗ୍ମାର୍ଚ୍ଚ କରିଛି। ପିସିଆର୍ ଭ୍ୟାନ୍ ତୁହାକୁ ତୁହା ଚକ୍କର କାଟୁଛି।
ସୂଚନା ଥାଉ କି ଗତବର୍ଷ ଝାରପଡ଼ା ଦୁର୍ଗାପୂଜା ମଣ୍ଡପରେ ଦୁର୍ଗାପୂଜା ଆୟୋଜନକୁ ନେଇ ବିବାଦ ଦେଖା ଦେଇଥିଲା। ଦୁଇପକ୍ଷ ପୂଜା ଆୟୋଜନକୁ ନେଇ ମୁହାଁମୁହିଁ ହେବାରୁ କୋର୍ଟଙ୍କ ଆଦେଶକ୍ରମେ ଝାରପଡ଼ା ଦୁର୍ଗାପୂଜା ପଡ଼ିଆ ଓ ଆଖପାଖ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଥିଲା। ଏଠାରେ ପୂଜା ଆୟୋଜନରେ କଟକଣା ଲଗାଯାଇଥିଲା।