କଲୋମ୍ବୋ: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍କୁ କବଜା କରି ସିରିଜ୍ କ୍ଲିନ୍ ସ୍ୱିପ୍ କରିବାକୁ ଭାରତୀୟ କ୍ରିକେଟ ଦଳ ଆଗରେ ବଡ଼ ସୁଯୋଗ ରହିଛି। କଲୋମ୍ବୋର ସିଂହଳୀ ସ୍ପୋର୍ଟସ କ୍ଲବ (SSC) ମଇଦାନରେ ଚାଲିଥିବା ଏହି ମ୍ୟାଚରେ ଶୁଭମନ୍ ଗିଲଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ସମ୍ପୂର୍ଣ୍ଣ ଆଧିପତ୍ୟ ବିସ୍ତାର କରି ବିଜୟର ଦ୍ୱାରଦେଶରେ ପହଞ୍ଚିଛି।ତେବେ ଶ୍ରୀଲଙ୍କା ଖେଳାଳିଙ୍କ ଅପେକ୍ଷା ଭାରତର ବିଜୟ ଓ ୱାର୍ଲ୍ଡ ଟେଷ୍ଟ ଚାମ୍ପିଅନସିପ୍ (WTC) ପଏଣ୍ଟ ସଂଗ୍ରହ ଆଗରେ ସବୁଠାରୁ ବଡ଼ ପ୍ରତିବନ୍ଧକ ସାଜିଛି କଲୋମ୍ବୋର ଖରାପ ପାଣିପାଗ।
ମ୍ୟାଚ୍ର ଶେଷ ଦିନରେ ବର୍ଷାର ଭୟ
ମ୍ୟାଚ୍ର ପଞ୍ଚମ ତଥା ଶେଷ ଦିନରେ ପ୍ରବଳ ବର୍ଷା ଓ ଝଡ଼ତୋଫାନ ହେବାର ସମ୍ଭାବନା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହା ଯାହା ଭାରତୀୟ କ୍ରିକେଟ୍ ପ୍ରଶଂସକଙ୍କ ଚିନ୍ତା ବଢ଼ାଇଦେଇଛି। ସକାଳ ସେସନ୍ରେ ବର୍ଷା ହେବାର ସମ୍ଭାବନା ପ୍ରାୟ ୯୭ ପ୍ରତିଶତ ରହିଥିବାରୁ ନିର୍ଦ୍ଧାରିତ ସମୟରେ ଖେଳ ଆରମ୍ଭ ହେବା ଆଶଙ୍କାଜନକ। ସେହିପରି ଅପରାହ୍ଣ ସେସନ୍ରେ ମଧ୍ୟ ପ୍ରାୟ ୭୦ ପ୍ରତିଶତ ବର୍ଷା, ମେଘୁଆ ପାଗ ଓ ବିଜୁଳି ଘଡ଼ଘଡ଼ିର ସମ୍ଭାବନା ରହିଛି। ଅସମୟରେ ବର୍ଷା ଏବଂ କମ୍ ଆଲୋକ ଯୋଗୁଁ ଖେଳ ବାରମ୍ବାର ବାଧାପ୍ରାପ୍ତ ହେବା ସହ ଓଭର କଟାଯିବାର ପୂର୍ଣ୍ଣ ସମ୍ଭାବନା ରହିଛି।
ମ୍ୟାଚ୍ର ସ୍ଥିତି ଓ ବିଜୟ ସମୀକରଣ
ଭାରତ ନିଜର ପ୍ରଥମ ଇନିଂସରେ ଦେବଦତ୍ତ ପଡ଼ିକ୍କଲ (୧୧୭) ଏବଂ ଧ୍ରୁବ ଜୁରେଲଙ୍କ (୧୧୫) ଶତକ ବଳରେ ୫୦୩ ରନ୍ର ବିଶାଳ ସ୍କୋର ଛିଡ଼ା କରିଥିଲା। ଜବାବରେ ଶ୍ରୀଲଙ୍କାର ପ୍ରଥମ ଇନିଂସ ୨୯୦ ରନ୍ରେ ସୀମିତ ରହିଥିଲା। ଦ୍ୱିତୀୟ ଇନିଂସରେ ଶ୍ରୀଲଙ୍କା ବର୍ତ୍ତମାନ ସୁଦ୍ଧା ୬ ୱିକେଟ୍ ହରାଇ ୨୨୯ ରନ୍ କରିବା ସହ ମାତ୍ର ୧୬ ରନ୍ର ସାମାନ୍ୟ ଅଗ୍ରଣୀ ହାସଲ କରିଛି।
ଭାରତକୁ ଏହି ମ୍ୟାଚ୍ ଜିତିବା ପାଇଁ ହେଲେ ଗୋଟିଏ କିମ୍ବା ଦୁଇଟି ସେସନ୍ରେ ପାଗ ଅନୁକୂଳ ମିଳିଲେ ଶ୍ରୀଲଙ୍କାର ବାକି ୪ଟି ୱିକେଟ୍କୁ ତୁରନ୍ତ ନେବାକୁ ପଡ଼ିବ ଏବଂ ଶ୍ରୀଲଙ୍କା ଦ୍ୱାରା ମିଳିଥିବା ଛୋଟ ଲକ୍ଷ୍ୟକୁ ଦ୍ରୁତଗତିରେ ହାସଲ କରିବାକୁ ହେବ। ଯଦି ବର୍ଷା ଯୋଗୁଁ ଏହି ମ୍ୟାଚ୍ ଡ୍ର’ରେ ଶେଷ ହୁଏ, ତେବେ WTC ଫାଇନାଲ୍ ରେସ୍ରେ ଭାରତ ନିଜର ଗୁରୁତ୍ୱପୂର୍ଣ୍ଣ ପଏଣ୍ଟ ହରାଇବ।
Also Read: କଲୋମ୍ବୋରେ ହୋଇଥିବା ଝଗଡା ଉପରେ ଜୟସ୍ୱାଲ ଭାଙ୍ଗିଲେ ନିରବତା, କମେଣ୍ଟକୁ ନେଇ ନୂଆ ବିବାଦ