ନୂଆଦିଲ୍ଲୀ: ସଙ୍କଟ ସମୟରେ ପଡ଼ୋଶୀ ଦେଶ ନେପାଳକୁ ବଡ଼ ବିଶ୍ୱାସଘାତକତା କରିଛି ଚୀନ୍। ସୀମାନ୍ତ ଅଞ୍ଚଳରେ ହଠାତ୍ ଆସିଥିବା ଜଳପ୍ରଳୟ ସମ୍ପର୍କରେ ଚୀନ୍ ନେପାଳକୁ ସମୟପୂର୍ବରୁ ଆଗୁଆ ସୂଚନା ଦେଇନଥିବା ଅଭିଯୋଗ ହୋଇଛି। ଯଦି ଚୀନ୍ ମାତ୍ର ୪୫ ମିନିଟ୍ ପୂର୍ବରୁ ସୂଚନା ଦେଇଥାନ୍ତା, ତେବେ ବହୁ ଲୋକଙ୍କ ଜୀବନ ବଞ୍ଚିପାରିଥାନ୍ତା ବୋଲି ନେପାଳର ପ୍ରଶାସନିକ ଏବଂ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର୍ ଧରିଛି।
କ’ଣ ଏହି ୪୫ ମିନିଟ୍ର ଗେମ୍ ?
ତିବ୍ବତ ଅଞ୍ଚଳରୁ ସୃଷ୍ଟି ହୋଇଥିବା ପ୍ରବଳ ଜଳସ୍ରୋତ ଓ ପାହାଡ଼ିଆ ବନ୍ୟା ନେପାଳ ସୀମା ଭିତରକୁ ପ୍ରବେଶ କରିବା ପୂର୍ବରୁ ଚୀନ୍ର ହାଇଡ୍ରୋଲୋଜିକାଲ୍ ଷ୍ଟେସନ୍ଗୁଡ଼ିକରେ ତାହା ରେକର୍ଡ ହୋଇସାରିଥିଲା। ନିୟମ ଓ ଦ୍ୱିପାକ୍ଷିକ ଚୁକ୍ତି ଅନୁଯାୟୀ, ଚୀନ୍ ଏହି ଜରୁରୀ ସୂଚନା ନେପାଳର ଜଳସମ୍ପଦ ଓ ପାଣିପାଗ ବିଭାଗକୁ ତୁରନ୍ତ ହସ୍ତାନ୍ତର କରିବା କଥା।
ଜଳସ୍ରୋତ ନେପାଳ ସୀମାନ୍ତ ଗାଁଗୁଡ଼ିକରେ ପହଞ୍ଚିବା ପାଇଁ ପ୍ରାୟ ୪୫ ମିନିଟ୍ ସମୟ ଲାଗିଥାଏ। ଏହି ୪୫ ମିନିଟ୍ର ଆଗୁଆ ସୂଚନା ମିଳିଥିଲେ, ନଦୀକୂଳିଆ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇପାରିଥାନ୍ତା। ମାତ୍ର ଚୀନ୍ ସୂଚନା ନଦେବାରୁ କୌଣସି ସତର୍କତା ନଥାଇ ବନ୍ୟାଜଳ ମାଡ଼ିଆସିଥିଲା, ଯାହାଫଳରେ ଅନେକ ଲୋକ ଭାସିଯାଇ ମୃତ୍ୟୁବରଣ କରିଛନ୍ତି ଏବଂ ଶହ ଶହ ଲୋକ ନିଖୋଜ ଅଛନ୍ତି।
ସୀମାନ୍ତ ଅଞ୍ଚଳରେ ତୀବ୍ର ଅସନ୍ତୋଷ
ଚୀନ୍ର ଏହି ଚରମ ଅବହେଳା ଓ ବିଶ୍ୱାସଘାତକତାକୁ ନେଇ ନେପାଳରେ ଭ୍ରୂକୁଞ୍ଚନ ସୃଷ୍ଟି ହୋଇଛି। ନେପାଳର ଜନସାଧାରଣ ଓ ବିଶେଷଜ୍ଞମାନେ ପ୍ରଶ୍ନ ଉଠାଇଛନ୍ତି ଯେ, ଯେଉଁ ଚୀନ୍ ନିଜକୁ ନେପାଳର ବିପଦର ବନ୍ଧୁ ବୋଲି ଦାବି କରେ, ସେ ବିପଦ ସମୟରେ ମାନବିକତା ପାଶୋରି ଗଲା କିପରି ?
ଗୋଟିଏ ପଟେ ଭାରତ 'ମାନବୀୟ ସହାୟତା ଓ ବିପର୍ଯ୍ୟୟ ପ୍ରଶମନ' (HADR) ଅଧୀନରେ ତୁରନ୍ତ ରିଲିଫ୍ ଓ ଔଷଧ ପଠାଇ ନେପାଳୀ ନାଗରିକଙ୍କ ଜୀବନ ବଞ୍ଚାଉଥିବା ବେଳେ, ଅନ୍ୟପଟେ ଚୀନ୍ର ଏଭଳି ମନୋଭାବ ବେଜିଂର ପ୍ରକୃତ ଚେହେରାକୁ ସାମ୍ନାକୁ ଆଣିଦେଇଛି।
Also Read: ନେପାଳରେ ଜଳପ୍ରଳୟ: ସହାୟତାର ହାତ ବଢ଼ାଇଲା ଭାରତ, ପଠାଇଲା ୧୦ ଟନର ରିଲିଫ୍ ଓ ଜରୁରୀ ଔଷଧ