ନୂଆଦିଲ୍ଲୀ: ପ୍ରକୃତିର ପ୍ରକୋପରେ ବିପର୍ଯ୍ୟସ୍ତ ପଡ଼ୋଶୀ ଦେଶ ନେପାଳର ସହାୟତା ପାଇଁ ଆଗେଇ ଆସିଛି ଭାରତ। ଅବିଶ୍ରାନ୍ତ ବର୍ଷା ଓ ଭୟଙ୍କର ଜଳପ୍ରଳୟ ଯୋଗୁଁ ନେପାଳର ବିଭିନ୍ନ ଅଞ୍ଚଳରେ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ଭାରତ ସରକାର ତୁରନ୍ତ ସହାୟତାର ହାତ ବଢ଼ାଇଛନ୍ତି। 'ମାନବୀୟ ସହାୟତା ଓ ବିପର୍ଯ୍ୟୟ ପ୍ରଶମନ' ଅଧୀନରେ ପ୍ରଥମ ପର୍ଯ୍ୟାୟରେ ୧୦ ଟନର ଜରୁରୀ ରିଲିଫ୍ ସାମଗ୍ରୀ ଏବଂ ଜୀବନରକ୍ଷକ ଔଷଧ ନେପାଳ ପଠାଯାଇଛି। ଭାରତୀୟ ବାୟୁସେନାର (IAF) C-130J ସ୍ୱତନ୍ତ୍ର ସାମରିକ ବିମାନ ଯୋଗେ ଏହି ସହାୟତା ତୁରନ୍ତ ପଠାଯାଇଛି।
ସଙ୍କଟ ସମୟରେ ନେପାଳ ସହ ଦୃଢ଼ ଭାବେ ଛିଡ଼ା ହୋଇଛି ଭାରତ
ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ସୋସିଆଲ ମିଡିଆ 'ଏକ୍ସ' ରେ ସୂଚନା ଦେଇ ଲେଖିଛନ୍ତି ଯେ, ନେପାଳରେ ସୃଷ୍ଟି ହୋଇଥିବା ପ୍ରଳୟଙ୍କରୀ ଜଳପ୍ରଳୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ପ୍ରଥମ ସହାୟତା ପ୍ରଦାନକାରୀ ଦେଶ ଭାବେ ଆଗେଇ ଆସିଛି। ଏହି ୧୦ ଟନର ସାମଗ୍ରୀ ମଧ୍ୟରେ ଅତ୍ୟାବଶ୍ୟକ ଜୀବନରକ୍ଷକ ଔଷଧ, ଶୁଖିଲା ଖାଦ୍ୟ, ତମ୍ବୁ, କମ୍ବଳ ଓ ଆଶ୍ରୟ ପାଇଁ ଆବଶ୍ୟକୀୟ ସାମଗ୍ରୀ ରହିଛି। ଦୁର୍ଦ୍ଦଶାର ଏହି ସମୟରେ ଭାରତ ନେପାଳର ଜନସାଧାରଣଙ୍କ ସହ ଦୃଢ଼ ଭାବେ ଛିଡ଼ା ହୋଇଛି ବୋଲି ସେ ଆଶ୍ୱାସନା ଦେଇଛନ୍ତି।
ବନ୍ୟା ଯୋଗୁଁ ନେପାଳରେ ବ୍ୟାପକ ଧନଜୀବନ ହାନି
ଗତ କିଛି ଦିନ ହେବ ନେପାଳର ବିଭିନ୍ନ ଭାଗରେ ଜାରି ରହିଥିବା ପ୍ରବଳ ବର୍ଷା ଯୋଗୁଁ ପ୍ରମୁଖ ନଦୀଗୁଡ଼ିକରେ ବନ୍ୟାଜଳ ମାଡ଼ିଆସିଛି। ହେଲେ ଜଳପ୍ରଲୟର ଏହି ପ୍ରାକୃତିକ ବିପର୍ଯ୍ୟୟରେ ୯୫ରୁ ଊର୍ଦ୍ଧ୍ବ ଲୋକଙ୍କ ଜୀବନ ଯାଇଥିବା ବେଳେ ଶହ ଶହ ଲୋକ ନିଖୋଜ ଅଛନ୍ତି। ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ସ୍ଥାନୀୟ ପ୍ରଶାସନ ଓ ଉଦ୍ଧାରକାରୀ ଦଳ ନିରନ୍ତର ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଏହିଭଳି ଏକ ଜରୁରୀ ପରିସ୍ଥିତିରେ ଭାରତର ଆଶୁ ସହାୟତା ନେପାଳର ବନ୍ୟାପୀଡ଼ିତଙ୍କ ପାଇଁ ବଡ଼ ସାହାରା ସାଜିଛି।