ନୂଆଦିଲ୍ଲୀ: ନିଜର ଲଜ୍ଜାଜନକ ପରାଜୟ ପ୍ରତିଶୋଧ ନେଇଛି ଅଷ୍ଟ୍ରେଲିଆ । ମେକାୟ ମଇଦାନରେ ଖେଳା ଯାଇଥିବା ଦ୍ୱିତୀୟ ଟେଷ୍ଟକୁ ମାତ୍ର ଦୁଇ ଦିନରେ ଜିତି ନେଇଛି କଙ୍ଗାରୁ ଦଳ । ପ୍ରଥମ ଟେଷ୍ଟ ଜିତି ଅଷ୍ଟ୍ରେଲିଆ ମାଟିରେ ଇତିହାସ ରଚିଥିବା ଭ୍ରମଣକାରୀ ବାଂଲାଦେଶ ଶୋଚନୀୟ ଭାବେ ଇନିଂସ ଏବଂ ୫୧ ରନରେ ପରାଜିତ ହୋଇଛି । ବିଜୟ ସହ ଅଷ୍ଟ୍ରେଲିଆ ମଧୁର ପ୍ରତିଶୋଧ ନେଇଛି । ସବୁଠୂ ବଡ କଥା ଉଭୟ ଇନିଂସକୁ ମିଶାଇ ବାଂଲାଦେଶ ୨୦୦ ରନ ବି କରି ପାରିନି । ମିଚେଲ ଷ୍ଟାର୍କ ଘାତକ ବୋଲିଂ କରି ଦଳ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିବା ସହ ପ୍ଲେୟାର ଅଫ ଦ ମ୍ୟାଚ୍ ପୁରସ୍କାର ଜିତିଛନ୍ତି । ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ୧-୧ରେ ଶେଷ ହୋଇଛି ।
ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ପ୍ରଥମ ଇନିଂସରେ ମିଚେଲ୍ ଷ୍ଟାର୍କଙ୍କ ଘାତକ ବୋଲିଂର ସାମ୍ନା କରି ନ ପାରି ମାତ୍ର ୬୪ ରନରେ ଅଲଆଉଟ୍ ହୋଇଥିଲା । ଜବାବରେ ଘରୋଇ ଦଳ ୨୧୦ ରନ କରିଥିଲା । ଆଉ ୧୪୬ ରନର ଅଗ୍ରଣୀ ହାସଲ କରିଥିଲା । ହେଲେ ବାଂଲାଦେଶ ପୁଣି ଥରେ ଦୟନୀୟ ବ୍ୟାଟିଂ କରି ଦ୍ୱିତୀୟ ଇନିଂସରେ ମାତ୍ର ୯୫ ରନରେ ଅଲଆଉଟ୍ ହୋଇଥିଲା । ଘରୋଇ ଦଳ ମ୍ୟାଚକୁ ୫୧ ରନରେ ଜିତି ନେଇଛି । ଦ୍ୱିତୀୟ ଇନିଂସରେ ମଧ୍ୟ ଷ୍ଟାର୍କ ସର୍ବାଧିକ ୪ ୱିକେଟ୍ ନେଇଛନ୍ତି ।
ଅଧିନାୟକ ପାଟ୍ କମିନ୍ସ ଏବଂ ନାଥନ ଲିୟନ ପ୍ରତ୍ୟେକଙ୍କୁ ୩ଟି ଲେଖାଏଁ ସଫଳତା ମିଳିଛି । ଦ୍ୱିତୀୟ ଇନିଂସରେ ବାଂଲାଦେଶ ପକ୍ଷରୁ ମାତ୍ର ୨ ଜଣ ବ୍ୟାଟର ଦୁଇ ଅଙ୍କ ଛୁଇଁ ପାରିଛନ୍ତି । ଅଧିନାୟକ ନଜମୁଲ ହୁସେନ ସାଣ୍ଟୋ ୩୧ ରନ ଏବଂ ମୁସଫିକର ରହିମ ଅପରାଜିତ ୨୯ ରନ କରିଥିଲେ । ବାକି ୯ ଜଣ କ୍ରିଜରେ ତିଷ୍ଠି ପାରି ନ ଥିଲେ ।