ନୂଆଦିଲ୍ଲୀ: ୨୦୨୬ ହକି ବିଶ୍ୱକପ୍ରେ ଭାରତୀୟ ହକି ଦଳକୁ ଏକ ବଡ଼ ଝଟକା ଲାଗିଛି। କ୍ରସ୍-ଓଭର୍ କିମ୍ବା 'କର ବା ମର' ପରିସ୍ଥିତିରେ ଥିବା ଏହି ମ୍ୟାଚ୍ରେ ଆୟୋଜକ ନେଦରଲାଣ୍ଡ ବିରୋଧରେ ଭାରତ ୧-୩ ଗୋଲରେ ପରାସ୍ତ ହୋଇଛି। ଏହି ପରାଜୟ ସହିତ ଭାରତର ଶ୍ରେଷ୍ଠ ଚାରିରେ ପହଞ୍ଚିବା ଆଶା ସମ୍ପୂର୍ଣ୍ଣ ଭାବେ ଶେଷ ହୋଇଯାଇଛି।
ହରମନପ୍ରୀତ ସିଂହଙ୍କ ଅଧିନାୟକତ୍ୱରେ ଖେଳୁଥିବା ଭାରତୀୟ ଦଳ ମ୍ୟାଚ୍ର ପ୍ରଥମାର୍ଦ୍ଧରେ ଅତ୍ୟନ୍ତ ଚମତ୍କାର ପ୍ରତିରକ୍ଷା (Defence) ପ୍ରଦର୍ଶନ କରିଥିଲା। ଡଚ୍ ଖେଳାଳିମାନଙ୍କୁ ଗୋଲ୍ ଦେବାର କୌଣସି ସୁଯୋଗ ଦେଇ ନଥିଲେ ଭାରତୀୟ ଡିଫେଣ୍ଡରମାନେ। ପ୍ରଥମ କ୍ୱାର୍ଟର ଏବଂ ଦ୍ୱିତୀୟ କ୍ୱାର୍ଟରରେ ଉଭୟ ଦଳ ପକ୍ଷରୁ କୌଣସି ଗୋଲ୍ ହୋଇ ନଥିଲା ଏବଂ ହାଫ୍ଟାଇମ ସୁଦ୍ଧା ସ୍କୋର ୦-୦ ରହିଥିଲା।
ତୃତୀୟ କ୍ୱାର୍ଟରରେ କିନ୍ତୁ ଖେଳର ରୂପ ବଦଳିଯାଇଥିଲା। ଡଚ୍ ଖେଳାଳି ଟିମନ୍ ରେୟାଙ୍ଗାଙ୍କ ପାସ୍ରୁ ଡୁକୋ ଟେଲ୍ଗେନ୍କେମ୍ପ୍ ପ୍ରଥମ ଗୋଲ୍ ଦେଇ ନୀଦରଲାଣ୍ଡକୁ ଅଗ୍ରଣୀ କରାଇଥିଲେ। ଏହାପରେ ମ୍ୟାଚ୍ର ୫୧ତମ ମିନିଟ୍ରେ ୟେପ୍ ହୋଡେମେକର୍ସ ଆଉ ଏକ ଗୋଲ୍ ଦେଇ ବ୍ୟବଧାନକୁ ୨-୦ କରିଥିଲେ।
ଭାରତ ପକ୍ଷରୁ ଅଧିନାୟକ ହରମନପ୍ରୀତ ସିଂହ ୫୨ତମ ମିନିଟ୍ରେ ଏକ ଦମଦାର୍ ପେନାଲ୍ଟି କର୍ନର ଜରିଆରେ ଏକମାତ୍ର ଗୋଲ୍ ଦେଇ ମ୍ୟାଚ୍କୁ ଫେରିବାର ଆଶା ଜଗାଇଥିଲେ। ମାତ୍ର ମ୍ୟାଚ୍ର ଶେଷ ମୁହୂର୍ତ୍ତରେ ଭାରତୀୟ ରକ୍ଷଣଭାଗର ଭୁଲ୍ର ସୁଯୋଗ ନେଇ ଭାନ ଡାମ୍ ଆଉ ଏକ ଗୋଲ୍ ଦେଇ ନେଦରଲାଣ୍ଡର ବିଜୟକୁ ୧-୩ ଗୋଲରେ ସୁନିଶ୍ଚିତ କରିଥିଲେ ।