ନୂଆଦିଲ୍ଲୀ: ହକି ବିଶ୍ୱକପ୍ରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ପରାସ୍ତ କରିଛି ଭାରତ। ବୁଧବାର ନେଦରଲ୍ୟାଣ୍ଡସର ଆମ୍ଷ୍ଟେଲଭିନ୍ ଷ୍ଟାଡିୟମ୍ରେ ଖେଳାଯାଇଥିବା ୨୦୨୬ ହକି ବିଶ୍ୱକପ୍ର ପୁଲ୍-ଡି ମ୍ୟାଚ୍ରେ ଭାରତୀୟ ଦଳ ୫-୩ ଗୋଲ୍ରେ ପାକିସ୍ତାନକୁ ଧୂଳି ଚଟାଇଛି। ଏହି ବିଜୟ ସହ ଭାରତ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରବେଶ କରିଥିବା ବେଳେ ପାକିସ୍ତାନ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛି।
ଦୀର୍ଘ ୧୬ ବର୍ଷର ବ୍ୟବଧାନ ପରେ ବିଶ୍ୱକପ୍ ମଞ୍ଚରେ ଏହି ଦୁଇ ଦଳ ମୁହାଁମୁହିଁ ହୋଇଥିଲେ। ଏହାପୂର୍ବରୁ ୨୦୧୦ ଦିଲ୍ଲୀ ବିଶ୍ୱକପ୍ରେ ଭାରତ ୪-୧ ଗୋଲ୍ରେ ପାକିସ୍ତାନକୁ ପରାସ୍ତ କରିଥିଲା। ମ୍ୟାଚ୍ ଆରମ୍ଭରୁ ହିଁ ଭାରତ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲା। ପ୍ରଥମ କ୍ୱାଟରରେ ଅଧିନାୟକ ହରମନପ୍ରୀତ ସିଂ (୫ମ ମିନିଟ୍) ଏବଂ ଅଭିଷେକ (୧୧ଶ ମିନିଟ୍)ଙ୍କ ଗୋଲ୍ ବଳରେ ଭାରତ ୨-୦ରେ ଆଗୁଆ ହୋଇଥିଲା। ଦ୍ୱିତୀୟ କ୍ୱାଟରରେ ଦୁଇ ଦଳ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ଭାରତ ପକ୍ଷରୁ ପୁଣି ହରମନପ୍ରୀତ (୨୧ଶ ମିନିଟ୍) ଓ ଅଭିଷେକ (୨୪ଶ ମିନିଟ୍) ଗୋଲ୍ କରିଥିବା ବେଳେ ପାକିସ୍ତାନ ପକ୍ଷରୁ ହନ୍ନାନ୍ ସାହିଦ୍ (୨୨ଶ ମିନିଟ୍) ଏବଂ ସୁଫିଆନ୍ ଖାନ୍ (୨୫ଶ ମିନିଟ୍) ଗୋଲ୍ ଶୋଧାଇଥିଲେ। ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ଭାରତ ୪-୨ରେ ଆଗୁଆ ରହିଥିଲା।
ତୃତୀୟ କ୍ୱାଟରର ୩୫ଶ ମିନିଟ୍ରେ ହାର୍ଦ୍ଦିକ ସିଂ ପେନାଲ୍ଟି କୋର୍ନରକୁ ଗୋଲ୍ରେ ପରିଣତ କରି ଭାରତର ସ୍କୋରକୁ ୫-୨କୁ ବୃଦ୍ଧି କରିଥିଲେ। ଶେଷ କ୍ୱାଟରର ୪୬ଶ ମିନିଟ୍ରେ ପାକିସ୍ତାନର ହନ୍ନାନ୍ ସାହିଦ୍ ଆଉ ଗୋଟିଏ ଗୋଲ୍ ଦେଇଥିଲେ ହେଁ ତାହା ଦଳକୁ ପରାଜୟରୁ ବଞ୍ଚାଇବା ପାଇଁ ଯଥେଷ୍ଟ ନଥିଲା।
ପୁଲ୍ ପର୍ଯ୍ୟାୟରେ ୩ଟି ମ୍ୟାଚ୍ରୁ ୨ଟିରେ ବିଜୟ ସହ ୬ ପଏଣ୍ଟ ହାସଲ କରି ଭାରତ ପରବର୍ତ୍ତୀ ପର୍ଯ୍ୟାୟକୁ କ୍ୱାଲିଫାଇ କରିଛି। ଅନ୍ୟପଟେ ୩ଟି ମ୍ୟାଚ୍ରୁ ଗୋଟିଏ ହେଲେ ବିଜୟ ହାସଲ କରିନପାରି ପାକିସ୍ତାନ ବିଶ୍ୱକପ୍ରୁ ବିଦାୟ ନେଇଛି।